ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ "କୁମାର ପୂର୍ଣ୍ଣିମା - ୨୦୨୨" ପାଳନ କରାଯାଇଛି | ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଣେର ବିଶିଷ୍ଟ ସମାଜସେବୀ ଦାନେଶ୍ବର କଟକେ, ସମ୍ମାନିତ ଅତିଥି ଭାବେ ଓଲିଉଡ ଅଭିନେତା ତଥା ଉପସ୍ଥାପକ କୁନା ତ୍ରିପାଠୀ ଏବଂ ପୁଣେର ବିଶିଷ୍ଟ ପ୍ରବାସୀ ଓଡ଼ିଆ ମାନସ ସାହୁ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ପ୍ରବାସୀ ଓଡ଼ିଆମାନଙ୍କ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଓ ଏହା ସହ ଆଗାମୀ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |
ସମ୍ମାନିତ ଅତିଥି ଭାବେ କୁନା ତ୍ରିପାଠୀ ପୁଣେରେ ଓଡ଼ିଆଙ୍କୁ ଏକତ୍ର କରିବା ଦିଗରେ “ଓଡ଼ିଆ ସାଂସ୍କୃତିକ ପରିଷଦ” ର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ଚଳଚ୍ଚିତ୍ର କଳାକାରଙ୍କୁ ନେଇ ଏକ ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ ବୋଲି ମଞ୍ଚରେ ଘୋଷଣା କରିଥିଲେ | ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆରତୀ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା | କୁମାର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ ଗୀତରେ ସବୁ ଓଡ଼ିଆ ଭାଇଭଉଣୀ ନାଚିଉଠିଥିଲେ | ଓଡିଶାର ଯୁବ କଣ୍ଠଶିଳ୍ପୀ କୁମାର ଜାନୁଙ୍କ ଗୀତ ତଥା ଅଭିନୟ ପ୍ରବାସୀ ଓଡିଆଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ଏହି କାର୍ଯ୍ୟକ୍ରମରେ ସୁସଂଜିତା ରାୟ ଓ ଜଲି ରାଉତ ମଞ୍ଚ ପରିଚାଳନା କରିଥିଲେ | ପ୍ରଦୀପ ପାଣି ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ |