ମୁଁ ‘ମେଣ୍ଟ ବିଷ’ ପାନ କରୁଛି

ସଭାରେ କାନ୍ଦି ପକାଇଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମେଣ୍ଟ ସରକାର ଚଳାଇବା ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ପାଇଁ ବିଷପାନ କଲା ଭଳି ହୋଇଛି। ଏ କଥା ସେ ନିଜେ ଆଜି ସ୍ୱୀକାର କରିଛନ୍ତି। ଶନିବାର ଦଳ ଜେଡିଏସ୍‌ (ଜନତା ଦଳ ସିକୁଲାର୍‌) ପକ୍ଷରୁ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ କୁମାରସ୍ୱାମୀ କହିଥିଲେ କଂଗ୍ରେସ ସହ ଜାରି ରହିଥିବା ମେଣ୍ଟ ସରକାର ଚଳାଇବା ବେଶ୍‌ କଷ୍ଟକର ହୋଇପଡ଼ିଛି। ଏମିତିକି ଆବଶ୍ୟକ ପଡ଼ିଲେ ସେ ଦୁଇଘଣ୍ଟା ମଧ୍ୟରେ ବି ଇସ୍ତଫା ଦେଇପାରନ୍ତି। ଏଭଳି କହି ସେ କାନ୍ଦି ପକାଇଥିଲେ। ସେ ଆହୁରି କହିଥିଲେ ଦଳର ଅନେକ ନେତା ଚାହୁଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀ ହୁଏ ବୋଲି। ସେମାନଙ୍କ ଯୋଗୁ ମୁଁ ଆଜି ମୁଖ୍ୟମନ୍ତ୍ରୀ ହୋଇଛି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେଉଁ ପରିସ୍ଥିତି ଦେଖାଦେଇଛି ତାହାକୁ ନେଇ ସେ ଆଦୌ ଖୁସି ନାହାନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ କୁମାରସ୍ୱାମୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଭା ସ୍ଥଳରେ ପହଞ୍ଚିବା କ୍ଷଣି ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ କରାଯାଇଥିଲା। ଫୁଲତୋଡ଼ା କିମ୍ବା ଫୁଲମାଳକୁ ସେ ଗ୍ରହଣ କରିବାକୁ ମନାକରିଦେଇଥିଲେ। ଏହି ସମୟରେ ସେ କହିଥିଲେ, ମୁଁ କାହାକୁ କିଛି ନ କହି ମୋ ଭିତରେ ନିଜ ଯନ୍ତ୍ରଣାକୁ ଚାପିଦେଉଛି। ଏହା କୌଣସି ବିଷଠାରୁ କମ୍‌ ନୁହେଁ ବୋଲି ସେ ଦର୍ଶାଇଥିଲେ। ଭଗବାନ ଶିବଙ୍କ ଭଳି ସେ ସବୁ ବିଷ ପାନ କରୁଥିବା କହିଥିଲେ। କୁମାରସ୍ୱାମୀ ଏଭଳି ଆବେଗାତ୍ମକ ଭାବ ପ୍ରକାଶ କରିବା ପଛରେ ଏକ ଫେସ୍‌ବୁକ୍‌ ପୋଷ୍ଟ ଦାୟୀ ବୋଲି କୁହାଯାଉଛି। ‘କୁମାରସ୍ୱାମୀ ମେରେ ସିଏମ୍‌ ନହିଁ’ ଶୀର୍ଷକ ଏକ ଫେସ୍‌ବୁକ୍‌ ପୋଷ୍ଟ ତାଙ୍କୁ ଦୁଃଖ ଦେଇଥିବା ଜଣାଯାଇଛି। କଂଗ୍ରେସ ନେତାଙ୍କ ଚାପରେ ସେ ବିଚଳିତ ହୋଇଉଠିଥିବା କୁହାଯାଉଛି। ଅନ୍ୟପକ୍ଷରେ ସବୁ ପରିସ୍ଥିତିର ସାମ୍ନା କରି ସାହସର ସହିତ ମୁକାବିଲା କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କୁମାରସ୍ୱାମୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମେଣ୍ଟ ସରକାର ଆସିଥିବାରୁ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିବ। ତେଣୁ କୌଣସି ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହ ତାହାର ମୁକାବିଲା କରିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର