କୁମାରସ୍ୱାମୀଙ୍କ ପୁଅ ବାହାଘରରେ ଖଚାଖଚ୍‌ ଗହଳି, ତୁଚ୍ଛାକୁ ସାମାଜିକ ଦୂରାବସ୍ଥାନ

ବେଙ୍ଗାଲୁରୁ: କରୋନା ବିଶ୍ୱମହାମାରୀର ମୁକାବିଲା ପାଇଁ ସାରାଦେଶ ଲକ୍‌ଡାଉନ୍‌ରେ ଥାଇ ସାମାଜିକ ଦୂରାବସ୍ଥାନକୁ ଅଗ୍ରାଧିକାର ଦେଉଥିବା ବେଳେ କର୍ଣାଟକରେ ଏ କଟକଣାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ଦୁଇଟି ରାଜନୀତିକ ପରିବାର। କର୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପୁଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି ନିଖିଲ କୁମାରସ୍ୱାମୀଙ୍କ ବାହାଘରରେ କେହି ମାସ୍କ ପିନ୍ଧିଥିବାର ମଧ୍ୟ ଦେଖାଯାଉନାହିଁ। ତାଙ୍କର ରାମନଗର ଫାର୍ମହାଉସ୍‌ରେ ଅନୁଷ୍ଠିତ ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ପରିବାର ବ୍ୟତୀତ କେହି ବାହାର ଲୋକଙ୍କୁ ନିମନ୍ତ୍ରଣ କରାଯାଇନଥିବା କହୁଥିଲେ ବି ଫଟୋ କିନ୍ତୁ ପ୍ରକୃତ ସତ୍ୟ ବୟାନ କରୁଛି। ପରିବାରର ମାତ୍ର ୬୦ ଜଣଙ୍କୁ ବିବାହ ଉତ୍ସବରେ ସାମିଲ କରାଯାଇଥିବା କହାଯାଇଥିବା ବେଳେ କର୍ଣାଟକ ପୁଲିସ ୪୨ଟି ଗାଡ଼ି ଓ ୧୨୦ ଜଣ ଲୋକଙ୍କୁ ପାସ୍‌ ଇସ୍ୟୁ କରିଛି। ଏପରିକି ଡ୍ରୋନ୍‌ କ୍ୟାମେରା ଶଟ୍‌ରେ ସାମାଜିକ ଦୂରାବସ୍ଥାନ କଟକଣାକୁ ଅବମାନନା କରାଯାଇଥିବା ସ୍ପଷ୍ଟ ହେଉଛି।

କୁମାରସ୍ୱାମୀ କହିଛନ୍ତି ଯେ ବେଙ୍ଗାଲୁରୁ କୋଭିଡ୍‌-୧୯ ପାଇଁ ଲାଲ୍‌ ଜୋନ୍‌ରେ ଥିବାରୁ ନିଜ ନିର୍ବାଚନକ୍ଷେତ୍ର ରାମନଗରରେ ବିନା ସମର୍ଥକଙ୍କ ଗହଳିରେ ବିବାହ ସମ୍ପନ୍ନ ହୋଇଛି। ଘରେ ନକରି ଫାର୍ମହାଉସ୍‌ରେ କରାଯିବା ସହ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଆଯାଇଛି। କିନ୍ତୁ କର୍ଣାଟକ ଉପମୁଖ୍ୟମନ୍ତ୍ରୀ ଅଶ୍ୱତ୍ଥ ନାରାୟଣ କହିଛନ୍ତି ଯେ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କାରଣ କର୍ଣାଟକରେ ୩୧୫ ଜଣଙ୍କ ଠାରେ କରୋନା ଠାବ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର