ସଙ୍କଟରେ କୁମାରସ୍ୱାମୀ ସରକାର:ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ବିଜେପି ସହ ସଂପର୍କରେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏବେ ପୁଣି ଥରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଜେଡିଏସ୍‌ ଏବଂ କଂଗ୍ରେସର ମେଣ୍ଟ ସରକାର ପୂର୍ବରୁ ହିଁ ବିଭିନ୍ନ କାରଣରୁ ବିବାଦରେ ଥିବା ବେଳେ ବଜେଟ୍‌ ଉପସ୍ଥାପନକୁ ନେଇ ଏବେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଜୁଲାଇ ୫ ତାରିଖରେ ତାଙ୍କର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଘୋଷଣା କରିଥିବାରୁ ଏହାକୁ ନେଇ ଛକାପଂଝା ଜୋର୍‌ଦାର ହୋଇଛି। ବଜେଟ୍‌ ଉପସ୍ଥାପନ ସମୟରେ ହିଁ ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ଚାଲିଛି। କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନେ ଏବେ ବିଜେପି ସହ ସଂପର୍କରେ ଅଛନ୍ତି ଏବଂ କେତେବେଳେ କିଭଳି ପରିସ୍ଥିତି ସୃଷ୍ଟି ହେବ କହିହେଉନାହିଁ। ବଜେଟ୍‌ ଏବଂ କୃଷକଙ୍କ ଋଣଛାଡ଼ ପ୍ରସଙ୍ଗରେ କୁମାରସ୍ୱାମୀଙ୍କ ଆଭିମୁଖ୍ୟକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ସମାଲୋଚନା କରିବା ପରେ ଏହାକୁ ନେଇ ସଙ୍କଟ ବଢ଼ିବାରେ ଲାଗିଛି ।

ପୁଣି ଏକ ପୂର୍ଣ୍ଣାଙ୍ଗ ବଜେଟ୍‌ ରାଜ୍ୟପାଇଁ ଆବଶ୍ୟକ ନଥିଲା ଏବଂ ପୂର୍ବରୁ ଉପସ୍ଥାପନ ହୋଇଥିବା ବଜେଟ୍‌ ହିଁ ଏଥିପାଇଁ ପର୍ଯ୍ୟାପ୍ତ ଥିଲା ବୋଲି ସିଦ୍ଦରାମେୟ କହିଥିଲେ। ତେବେ କୁମାରସ୍ୱାମୀ ଏହାକୁ ଗ୍ରହଣ କରିନଥିଲେ ଏବଂ ନୂତନ ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଏହି ବଜେଟ୍‌ରେ ପ୍ରୟାସ କରିବେ ବୋଲି କହିଥିଲେ। ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିବା ଏବଂ କ୍ୟାବିନେଟ୍‌ ପାହ୍ୟା ମିଳିନଥିବାରୁ ଅନେକ କଂଗ୍ରେସ ବିଧାୟକ ସେମାନଙ୍କ ଖୋଲା ଅସନ୍ତୋଷ ଜାହିର କରିସାରିଛନ୍ତି। ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍‌ ୟେଦୁରପ୍ପା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା କରିବାକୁ ଅହମ୍ମଦାବାଦ ଗସ୍ତ କରିଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।

ସମ୍ବନ୍ଧିତ ଖବର