କୁମାରଙ୍କୁ ଦିଆଯିବ ‘ୱାଇ’ ଶ୍ରେଣୀର ସୁରକ୍ଷା, ଗୃହ ମନ୍ତ୍ରାଳୟ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ପୂର୍ବତନ ଆମ୍ ଆଦମୀ ପାର୍ଟି (ଆପ) ନେତା କୁମାର ବିଶ୍ୱାସଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କୁମାର ବିଶ୍ୱଙ୍କୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସିଆରପିଏଫ ମାଧ୍ୟମରେ ୱାଇ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ | ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୁମାର ଅଭିଯୋଗ ଆଣିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ଗୃହ ମନ୍ତ୍ରାଳୟ କହିଥିଲା ଯେ କୁମାର ବିଶ୍ୱାସଙ୍କ ସୁରକ୍ଷା ଉପରେ ସରକାର ସମୀକ୍ଷା କରୁଛନ୍ତି। ଗୁଇନ୍ଦା ଇନପୁଟ ଉପରେ ଆଧାର କରି ବିପଦକୁ ଦେଖି ଏହି ସୁରକ୍ଷା ଦିଆଯାଇଛି।

ସୂଚନା ଥାଉ କି ଫେବୃଆରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଆଉ ଏହା ପୂର୍ବରୁ କୁମାର ବିଶ୍ଵାସ ଏକ ମିଡିଆକୁ କହିଥିଲେ ଯେ, ଅରବିନ୍ଦ କେଜ୍ରିଓ୍ଵାଲ ଖଲିସ୍ଥାନର ସମର୍ଥକ। ସେ ସତ୍ତା ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି। ମୁଁ ଯେତେବେଳେ ତାଙ୍କ ସହ ଥିଲି ସେ ମୋତେ ତାଙ୍କ ଯୋଜନାଗୁଡିକ ବିଷୟରେ ଜଣାଉଥିଲେ। ଦିନେ ସେ କହିଥିଲେ, ମୁଁ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି; ନହେଲେ ସ୍ଵାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି। କେଜ୍ରିଓ୍ଵାଲଙ୍କୁ ବିଛ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାରେ କୌଣସି ଦ୍ଵିଧା ନାହିଁ। ପଞ୍ଜାବ କେବଳ ଏକ ରାଜ୍ୟ ନୁହେଁ ଏହା ଏକ ଭାବନା। ସମ୍ପୂର୍ଣ୍ଣ ଦୁନିଆରେ ପଞ୍ଜାବ ଏକ ଭାବନା ଅଟେ। ମୁଁ ବିଛ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାକୁ ମନା କରିଥିଲି କେଜ୍ରିଓ୍ଵାଲଙ୍କୁ, କିନ୍ତୁ ସେ କହିଥିଲେ – ନା…ନା… ହେଇଯିବ’।

ଏହା ପରେ କୁମାରଙ୍କ ଉପରେ ଆକ୍ରମଣ କରାଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା | ଶେଷରେ ତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି | ଦେଶର ସୁରକ୍ଷା ବ୍ୟବସ୍ଥାକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ଶୀର୍ଷରେ Z + , ତା’ପରେ Z, Y ଏବଂ X ବର୍ଗ ରହିଛି। କୁମାର ବିଶ୍ୱାସଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷା ହେଉଛି ୱାଇ ଶ୍ରେଣୀ। ୱାଇ- ଶ୍ରେଣୀର ସୁରକ୍ଷା ୧୧ ଜଣ ସୁରକ୍ଷା କର୍ମୀଙ୍କୁ ନେଇ ଗଠିତ ଓ ଏଥିରେ ଜଣେ କିମ୍ବା ଦୁଇ ଜଣ କମାଣ୍ଡୋ ଏବଂ ସିଆରପିଏଫ ପୁଲିସ ଥାଆନ୍ତି |

ସମ୍ବନ୍ଧିତ ଖବର