କର୍ଣ୍ଣାଟକ ସଙ୍କଟ, ସରକାର ଭାଙ୍ଗିବାକୁ ପୁଣି ଉଦ୍ୟମ! ଅଡିଓ କ୍ଲିପ୍‌ ଜାରି କରି ବିଜେପିକୁ ଦାୟୀ କଲେ କୁମାରସ୍ବାମୀ

ଅଭିଯୋଗ ପ୍ରମାଣ ହେଲେ ଇସ୍ତଫା ଦେବି: ୟେଦ୍ୟୁରପ୍ପା, ୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସର ଯୋଜନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଆଜିଠାରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନରେ ୧୩ ଜଣ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ତେବେ ସେମାନଙ୍କ ମଧ୍ୟରୁ କେବଳ ୪ ଜଣ ବିଧାୟକ ହିଁ ସିଧାସଳଖ ସରକାର ବିରୋଧରେ ଅନ୍ୟ ବିଧାୟକଙ୍କୁ ମତାଉଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦଳ ପ୍ରୟାସ କରିବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ବିଜେପି ବିରୋଧରେ ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି। ଆଜି କୁମାରସ୍ବାମୀ ଏକ ଅଡିଓ କ୍ଲିପ୍‌ ଜାରି କରିଛନ୍ତି ଏବଂ ଏଥିରେ ବିଜେପି ନେତା ବିଏସ୍‌ ୟେଦ୍ୟୁରପ୍ପା, ଜେଡିଏସ୍‌ ବିଧାୟକ ନାଗନ ଗୌଡ଼ଙ୍କ ମଧ୍ୟରେ ବିଧାୟକଙ୍କୁ କିଭଳି ପ୍ରଲୋଭିତ କରାଯିବ ସେ ନେଇ ବାର୍ତ୍ତାଳାପ ରହିଛି। ତେବେ ୟେଦ୍ୟୁରପ୍ପା ଏହି ଅଡିଓ କ୍ଲିପ୍‌କୁ ଜାଲ୍‌ ବୋଲି କହିବା ସହ ‌ଏହା ସତ୍ୟ ପ୍ରମାଣିତ ହେଲେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। କୁମାରସ୍ବାମୀ କେବଳ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଚାଲ୍‌ ଖେଳୁଛନ୍ତି ବୋଲି ସେ କହିଛନ୍ତି। ନକଲି ଟେପ୍‌ ପ୍ରସ୍ତୁତ କରି ବିଭ୍ରାନ୍ତି କରିଥିବାରୁ ଏଥିପାଇଁ କୁମାରସ୍ବାମୀ ଜନତାଙ୍କୁ ଜବାବ ଦେବାକୁ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ୍‌ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ରାଜନୈତିକ ହଟଚମଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି । କଂଗ୍ରେସ ନିଜ ଦଳର ବିଧାୟକମାନଙ୍କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେଉନଥିବାରୁ ଏଭଳି ସମସ୍ୟା ଉପୁଜିଛି ଏବଂ ଏହାର ଫାଇଦା ବିଜେପି ନେଉଛି ବୋଲି କୁମାରସ୍ବାମୀ କହିଛନ୍ତି। ତେବେ ଦଳର କେତେକ ଆଗଧାଡ଼ିର ନେତା ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଉସୁକାଇବାରେ ଲାଗିଛନ୍ତି ବୋଲି କୁମାରସ୍ବାମୀ ଲଗାତାର ଅଭିଯୋଗ କରୁଥିବାରୁ ଏହା କଂଗ୍ରେସର ଚିନ୍ତା ବଢ଼ାଇଛି। ଏ ବାବଦରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ମଧ୍ୟ ପୂର୍ବରୁ ଆଲୋଚନା କରିଛନ୍ତି। ସିଦ୍ଧରାମେୟା ଗୋଷ୍ଠୀର ବିଧାୟକମାନଙ୍କୁ କୁମାରସ୍ବାମୀ ବିଶ୍ବାସକୁ ନେଉନଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କର ଦୃଢ଼ ସମର୍ଥନ କୁମାରସ୍ବାମୀଙ୍କ ପ୍ରତି ରହିଛି। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଆଗାମୀ ଲୋକସଭା ନିର୍ବାଚନରେ ଜେଡିଏସ୍‌ ସହ ମେଣ୍ଟ କାଏମ ରଖିବାକୁ ଚାହୁଥିବାରୁ ସରକାର ତିଷ୍ଠି ରହିବା ଏବେ କଂଗ୍ରେସ ପାଇଁ ମଧ୍ୟ ଜରୁରୀ ହୋଇପଡ଼ିଛି। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ମଧ୍ୟ କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ଥିବା କନ୍ଦଳ ଦୂର କରିବାକୁ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର