କୁମାରସ୍ବାମୀଙ୍କ ବିବାଦୀୟ ଭିଡିଓ:‘ଆକ୍ରମଣକାରୀଙ୍କୁ ନିର୍ଦୟ ଭାବେ ଗୁଳି କର’

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀଙ୍କର ଏଭଳି ଏକ ଭିଡିଓ ଲୋକଲୋଚନକୁ ଆସିଛି, ଯାହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ନିଜ ଦଳୀୟ ନେତାଙ୍କ ହତ୍ୟାରେ ଜଡ଼ିତ ଥିବା ଲୋକଙ୍କୁ ଖୋଜି ଖୋଜି ଅତି ନିର୍ଦୟ ଭାବେ ଗୁଳି କରିବା ପାଇଁ ସେ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳୁଛି। ଫୋନ୍‌ରେ ସେ ଏଭଳି ନିର୍ଦ୍ଦେଶ ନିଜ ଦଳ ଜେଡିଏସ୍‌ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ‌ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅପରାଧ ଘଟଣାକୁ ରୋକିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇବା ପରିତାପର ବିଷୟ ବୋଲି କିଛି ବିରୋଧୀ ଦଳ ସମାଲୋଚନା କରି କହିଛନ୍ତି। ବିରୋଧୀ ବିଜେପି ଏହି ଘଟଣାକୁ ନେଇ କୁମାରସ୍ବାମୀଙ୍କ ନିନ୍ଦା କରିଛି।
ଖବର ମୁତାବକ କୁମାରସ୍ବାମୀ ରାଜ୍ୟର ବିଜୟପୁରା ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠ‌ାରେ ପହଞ୍ଚିବା ପରେ ତାଙ୍କୁ ଗୁଇନ୍ଦା ବିଭାଗ ପକ୍ଷରୁ ଜନତା ଦଳ ସିକ୍ୟୁଲାର୍‌ (ଜେଡିଏସ୍‌)ର ଜଣେ ନେତାଙ୍କୁ ହତ୍ୟା କରାଯାଇଥିବା ନେଇ ଅବଗତ କରାଯାଇଥିଲା। ଏହି ଖବର ପାଇବା କ୍ଷଣି କୁମାରସ୍ବାମୀ କ୍ରୋଧିତ ହୋଇଯାଇ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ଆକ୍ରମଣକାରୀଙ୍କୁ ଗୁଳି କରି ଅତି ନିଷ୍ଠୁର ଭାବେ ହତ୍ୟା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଫୋନ୍‌ ଯୋଗେ ହୋଇଥିବା ଏହି ବାର୍ତ୍ତାଳାପର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।
ବାର୍ତ୍ତାଳାପ ଭିଡିଓରେ କୁମାରସ୍ବାମୀ କହୁଛନ୍ତି, ‘‘ଏହି ହତ୍ୟା ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ହତ୍ୟାର ଶିକାର ହୋଇଥିବା ନେତା ଜଣେ ଉଦାରଶୀଳ ବ୍ୟକ୍ତି ଥିଲେ। ତାଙ୍କୁ କିଏ ହତ୍ୟା କରିଛି, ତାହା ମୁଁ ଜାଣିନାହିଁ। କିନ୍ତୁ ଯିଏ ବି ହତ୍ୟା କରିଛି, ସେମାନଙ୍କୁ ଖୋଜି ଖୋଜି ଅତି ନିର୍ଦୟ ଭାବେ ଗୁଳି କରାଯିବା ଆବଶ୍ୟକ।’’ କୁମାରସ୍ବାମୀ ଏହା କହୁଥିବା ସମୟରେ ତାଙ୍କ ନିକଟରେ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଜଣେ ପୁଲିସ ଅଧିକାରୀ ମଧ୍ୟ ସେଠାରେ ଥିଲେ।
କୁମାରସ୍ବାମୀଙ୍କ ଏଭଳି ବିବା‌ଦୀୟ ଫୋନ୍‌ ବାର୍ତ୍ତାଳାପକୁ ରାଜ୍ୟ ବିଜେପି ତୀବ୍ର ସମାଲୋଚନା କରିଛି। ବିଜେପି ନେତା ଶୋଭା କରାନ୍ଦଲାଜେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏଭଳି ନିର୍ଦ୍ଦେଶ ଦିଆଯିବା ପରିତାପର ବିଷୟ। ରାଜ୍ୟରେ ଏହା ଅରାଜକତା ସୃଷ୍ଟି କରିବ। ଏ ନେଇ ସଫେଇ ଦେଇ କୁମାରସ୍ବାମୀ କହିଛନ୍ତି, ଜେଡିଏସ୍‌ କର୍ମୀ ପ୍ରକାଶ ଜଣେ ଭଲ ଲୋକ ଥିଲେ। କୃଷକଙ୍କ ପାଇଁ ‌େସ ସର୍ବଦା କାର୍ଯ୍ୟ କରୁଥିଲେ। ତାଙ୍କୁ ନିଷ୍ଠୁର ଭାବେ ହତ୍ୟା କରାଯିବା ପରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଏଭଳି କହିଥିଲେ।

ସମ୍ବନ୍ଧିତ ଖବର