ଆସ୍ଥା ଭୋଟରେ ଜିତିଲେ କୁମାରସ୍ୱାମୀ, ସପକ୍ଷରେ ୧୧୭ ଭୋଟ

ବାଙ୍ଗାଲୁରୁ : ବିରୋଧୀ ବିଜେପି ବିଧାୟକଙ୍କ ହଙ୍ଗାମା ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ଜେଡିଏସ-କଂଗ୍ରେସ ମିଳିତ ସରକାର ଆସ୍ଥାଭୋଟ ବାଚନିକ ଭୋଟରେ ବିଜୟୀ ହୋଇଛନ୍ତି । ଏହା ସହିତ ଗତ ୧୦ ଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ (ଅନ୍ତତଃ ବର୍ତ୍ତମାନ ସମୟ ପାଇଁ) ଶେଷ ହୋଇଛି । ଜେଡିଏସ-କଂଗ୍ରେସ ମିଳିତ ସରକାର ସପକ୍ଷରେ ୧୧୭ଟି ଭୋଟ ପଡିଛି । ଏହା ପୂର୍ବରୁ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ସହ ସଦନରୁ ଓ୍ଵାକଆଉଟ୍‌ କରିଥିଲେ । ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ରମେଶ କୁମାର ବାଚସ୍ପତି ନିର୍ବାଚିତ ହୋଇଥିଲେ । ଆଜି ସଦନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ ଜେଡିଏସ ଓ କଂଗ୍ରେସ ପକ୍ଷରୁ ନିଜ ନିର୍ବାଚନୀ ଇସ୍ତାହାରରେ ଲୋକମାନଙ୍କୁ ଦିଆଯାଇଥିବା ସବୁ ପ୍ରତିଶୃତି ପୂରଣ କରାଯିବ ।

ଗତ ମେ ୧୨ରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା । ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ଥିବାବେଳେ କଂଗ୍ରେସର ୭୮ ଓ ଜେଡିଏସର ୩୭ ସଦସ୍ୟ ଅଛନ୍ତି । ରାଜ୍ୟପାଳ ପ୍ରଥମେ ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ ମଧ୍ୟ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିନଥିଲା ।

ସମ୍ବନ୍ଧିତ ଖବର