ପ୍ରୟାଗରାଜ: ମହାକୁମ୍ଭରେ ମୁଣ୍ଡ ଖରାପ ଜାମ୍ । ଭିଡ ଏତେ ବଢୁଛି ଯେ ଦେଖିକି ଭୟ ଲାଗୁଛି । ଜାମ୍ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି । ଗୋଟେ ଗୋଟେ କିଲୋମିଟର ବି ପାର୍ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଉପରେ ଟାଣ ଖରା ଓ ଗୁଳୁଗୁଳିକୁ ପ୍ରବଳ ଭିଡ, ଗାଡି ମଟରର କେଁ କାଁ ଶବ୍ଦ ଓ ହର୍ଣ୍ଣ ଲୋକଙ୍କୁ ବିରକ୍ତି କରେଇ ଦେଉଛି ।

Advertisment

ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ରାଜସ୍ଥାନ ଉଦୟପୁରରୁ ଏକ ପରିବାର ପ୍ରୟାଗରାଜ ଆସିଥିବା ବେଳେ ତାଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ରାସ୍ତାରେ ପ୍ରବଳ ଜାମ ପାଇଁ ଗାଡି ଅଟକିଛି । ସ୍ଥିତି ଏମିତି ହୋଇଛି ସେମାନଙ୍କୁ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଇଛି । ୫୦ ଜଣ ସଦସ୍ୟ ସଂଗମରେ ବୁଡ ପକାଇବାକୁ ଆସିଥିବା ବେଳେ ପ୍ରୟାଗରାଜ ପାଖାପାଖି ଅଞ୍ଚଳରେ ଫଶିଯାଇଛନ୍ତି ।

ସେପଟେ ପ୍ରବଳ ଭିଡ ପାଇଁ ଗାଡି ରାସ୍ତାରେ ଅଟକି ରହୁଛି, କିଛି ଗାଡି ଷ୍ଟାର୍ଟରେ ରହି ଅପେକ୍ଷା କରୁଥିବାରୁ ଆଉ କିଛି ଭିଡ ପାଇଁ ଧିରେଧିରେ ଚାଲୁଥିବାରୁ ପେଟ୍ରୋଲ ଓ ଡିଜେଲ ବି ଗାଡିରୁ ସେହି ଅନୁସାରେ ସରୁଛି । ଯଦି ହଠାତ୍ ଗାଡିରେ ତେଲ ବି ସରୁଛି ତାହାଲେ ଭିଡ ଆଡେଇ ପେଟ୍ରୋଲ ପମ୍ପ ଯିବା ସମ୍ଭବ ହେଇପାରୁନି । ପେଟ୍ରୋଲ ପମ୍ପରେ ବି ସମାନ ସ୍ଥିତି । ସହରର ୫୦ରୁ ଅଧିକ ପେଟ୍ରୋଲ ପମ୍ପରେ ତେଲ ନାହିଁ, ଶୁଖିଲା ପଡିଛି । ଜାମ୍ ପାଇଁ ଟ୍ୟାଙ୍କର ଆସି ପାରୁନି । ତେଣୁ ସବୁଆଡୁ ସମସ୍ୟା ଭୋଗୁଛନ୍ତି ଲୋକେ ।