ଜାରି ରହିବ କୁମ୍ଭମେଳା, ବନ୍ଦ କରାଯିବାର କୌଣସି ନିଷ୍ପତ୍ତି ନିଆଯାଇ ନାହିଁ: ଜିଲ୍ଲାପାଳ

ହରିଦ୍ବାରା: ଏପ୍ରିଲ ୩୦ପର୍ଯ୍ୟନ୍ତ ଚାଲିବ କୁମ୍ଭମେଳା। ଏହାକୁ ଆଜି ବନ୍ଦ କରାଯିବାର କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି କୁମ୍ଭମେଳା ଶେଷ ହେବ ବୋଲି ଚର୍ଚ୍ଚା ହୋଇଥିଲା। ଉତ୍ତରାଖଣ୍ଡ ସରକାର ଏବଂ ଧାର୍ମିକ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ସେମାନେ ଆଜି କୁମ୍ଭମେଳାକୁ ଶେଷ କରିବାର ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଜିଲ୍ଲାପାଳ ଦୀପକ ରାୱତ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି।

ତାଙ୍କ କହିବା ମୁତାବକ, ଜାନୁଆରିରେ କୁମ୍ଭମେଳା ଆରମ୍ଭ ହେବାର ଥିଲା, କିନ୍ତୁ କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏଥର ଏପ୍ରିଲରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିସ୍ଥିତି ଯୋଗୁଁ କେନ୍ଦ୍ରର ଏସଓପି ମାନି ମେଳାର ଅବଧି ହ୍ରାସ କରାଯାଇଥିଲା। କିନ୍ତୁ ଏହାକୁ ଆଜି ବନ୍ଦ କରାଯାଉଥିବା ନେଇ କୌଣସି ସୂଚନା ନାହିଁ।

BBC

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ଗଙ୍ଗା କୂଳରେ ଏପ୍ରିଲ ୧ରୁ ୩୦ପର୍ଯ୍ୟନ୍ତ କୁମ୍ଭମେଳା ହେବାକୁ ଥିବା ବେଳେ ଏପ୍ରିଲ ୧୨, ୧୪ ଏବଂ ୨୭ରେ ତିନୋଟି “ଶାହି ସ୍ନାନ” (ମୁଖ୍ୟ ସ୍ନାନ) ହେବାର ଯୋଜନା ରହିଛି। ଦୁଇଟି “ଶାହି ସ୍ନାନ” ଶେଷ ହୋଇଥିବା ବେଳେ ଆଉ ଗୋଟେ ବାକି ରହିଛି।  “ଶାହି ସ୍ନାନ” ସମୟରେ ବି‌ଶେଷ କରି ଅଧିକ ଭିଡ଼ ହେଉଥିବା ସହ ସାମାଜିକ ଦୂରତା ପାଳନ କରିବା କଷ୍ଟକର ହୋଇପଡ଼ିଛି। ଏହା ପାଇଁ ସଂକ୍ରମଣ ମଧ୍ୟ ବଢ଼ୁଛି। ଗତ ୫ଦିନ ମଧ୍ୟରେ ୨ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି କୁମ୍ଭମେଳାକୁ ବନ୍ଦ କରିଦିଆଯିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଏହା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧିତ ଖବର