ପ୍ରୟାଗରାଜ (ଉତ୍ତରପ୍ରଦେଶ): ସଂପ୍ରତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗତକାଲି (ମଙ୍ଗଳବାର) ପ୍ରଥମ ଦିନରେ ଲକ୍ଷାଧିକ ସାଧୁସନ୍ଥ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀରେ ପବିତ୍ର କୁମ୍ଭବୁଡ଼ ପକାଇଛନ୍ତି। ଏହାପରେ ସନ୍ଧ୍ୟାରେ ୧୩ଟି ଆଖଡ଼ାର ଶତାଧିକ ସାଧୁସନ୍ଥମାନେ ପ୍ରୟାଗରାଜରେ ୩୩,୦୦୦ ମାଟି ଦୀପ ପ୍ରଜ୍ୱଳନ କରିବା ସହ ଅଯୋଧ୍ୟାରେ ଖୁବ୍‌ଶୀଘ୍ର ରାମ ମନ୍ଦିର ନିର୍ମାଣ ପାଇଁ ସାମୂହିକ ପ୍ରାର୍ଥନା କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କୁମ୍ଭମେଳା ଅବସରରେ ଲକ୍ଷାଧିକ ସାଧୁସନ୍ଥ ୧୧ ଲକ୍ଷ ଦୀପ ପ୍ରଜ୍ୱଳନ ପୂର୍ବକ ଅଯୋଧ୍ୟାରେ ଖୁବ୍‌ଶୀଘ୍ର ରାମ ମନ୍ଦିର ନିର୍ମାଣ ପାଇଁ ସାମୂହିକ ପ୍ରାର୍ଥନା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସନ୍ଥ ମୋନି ମହାରାଜ।

Advertisment

publive-image

ଆସନ୍ତା ଜାନୁଆରି ୨୯ ତାରିଖ ଠାରୁ ସୁପ୍ରିମ୍‌ କୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ରାମ ଜନ୍ମଭୂମି- ବାବ୍ରୀ ମଦଜିଦ୍‌ ବିବାଦର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ ପବିତ୍ର କୁମ୍ଭମେଳା ଅବସରରେ ଲକ୍ଷାଧିକ ସାଧୁସନ୍ଥ ୧୧ ଲକ୍ଷ ଦୀପ ପ୍ରଜ୍ୱଳନ ପୂର୍ବକ ଅଯୋଧ୍ୟାରେ ଖୁବ୍‌ଶୀଘ୍ର ରାମ ମନ୍ଦିର ନିର୍ମାଣ ପାଇଁ ସାମୂହିକ ପ୍ରାର୍ଥନା କରିବା ପାଇଁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।