କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ରିପୋର୍ଟ ଦାଖଲ

ବିଜେପିର ତିନି ଜଣିଆ ଦଳ ଓ ଜାତୀୟ ଅନୁସୂଚିତ ଜାତି କମିସନ ପକ୍ଷରୁ ହୋଇଛି ରିପୋର୍ଟ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଗତ ୧୧ ତାରିଖରେ ତଦନ୍ତ ପାଇଁ ଓଡ଼ିଶା ଆସିଥିବା ଜାତୀୟ ଅନୁସୂଚିତ ଜାତି କମିସନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ଵାନ ତାଙ୍କ ରିପୋର୍ଟ କମିସନ ଅଧ୍ୟକ୍ଷ ପ୍ରଫେସର ରାମଶଙ୍କର କାଥାରିଆଙ୍କୁ ପ୍ରଦାନ କରିଛନ୍ତିି। ସେହିପରି ବିଜେପିର ୩ ଜଣିଆ ଟିମ୍‌ ମଧ୍ୟ ତଦନ୍ତ ସାରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ରିପୋର୍ଟ ଦାଖଲ କରିଛନ୍ତି। ଅପରପକ୍ଷେ, ଗତ ୫ରୁ ୯ତାରିଖ ଯାଏ ଡିଏସ୍‌ପି ରବି ସିଂଙ୍କ ନେତୃତ୍ୱରେ ଜାତୀୟ ମାନବାଧିକାର କମିସନଙ୍କ ୫ଜଣିଆ ଦଳ ତଦନ୍ତ କରିଥିଲେ ହେଁ ଏଯାବତ୍‌ ପ୍ରାଥମିକ ରିପୋର୍ଟ ଦାଖଲ କରିନାହାନ୍ତି। ବେଳେ ଦିନେ ଦୁଇଦିନ ମଧ୍ୟରେ ଏହା ଦାଖଲ କରାଯିବ ବୋଲି ଜଣାପଡ଼ିଛି।

ଅନୁସୂଚିତ ଜାତି କମିସନ ସଦସ୍ୟ ପାଶଓ୍ଵାନଙ୍କ ରିପୋର୍ଟ ଭିତ୍ତିରେ କମିସନ ଅଧ୍ୟକ୍ଷ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ରିପୋର୍ଟ ମାଗିବେ। ପୀଡ଼ିତା ବାରମ୍ବାର ପୁଲିସ୍‌, ପ୍ରଶାସନଙ୍କୁ ଦାୟୀ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ଅଣଦେଖା କରିଥିଲେ। ଏଥି ସହିତ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବା ଦାବିକୁ ମଧ୍ୟ ପାଶଓ୍ଵାନ ତାଙ୍କ ସୁପାରିସରେ ସାମିଲ କରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ସାଧାରଣ ସାମ୍ପାଦିକା ସରୋଜା ପାଣ୍ଡେ, ସାଂସଦ ଜ୍ୟୋତିି ଧ୍ରୁବେ ଓ ସାଂସଦ ଅଞ୍ଜୁବାଳା ପ୍ରମୁଖ କୋରାପୁଟ ଗସ୍ତ କରି କୁନ୍ଦୁଲି ପୀଡ଼ିତାଙ୍କ ପରବାରକୁ ଭେଟିବା ସହ ଘଟଣାର ସରଜମିନ ତଦନ୍ତ କରିଥିଲେ। ସେମାନେ ରିପୋର୍ଟରେ ପୁଲିସ୍‌ ଓ ପ୍ରଶାସନକୁ ଦାୟୀ କରିଥିବା ବେଳେ ସମଗ୍ର ଘଟଣାରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର