ନୂଆଦିଲ୍ଲୀ: ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତବାଘଙ୍କୁ  ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ। ଏହି ଚିତା ଆସିବା ପରେ କୁନୋ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ହଟସ୍ପଟ ପାଲଟିଥିବା ବେଳେ ଏବେ ଚିତାମାନେ ଲୋକଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

Advertisment

୩୦ଜଣ ସହରିଆ ଆଦିବାସୀ ଯୁବକଙ୍କ ସମେତ ମୋଟ ୬୦ଜଣ ଯୁବକ କୁନୋ ଜାତୀୟ ଉଦ୍ୟାନ ଦ୍ୱାରା ପ୍ରଥମ ପର୍ଯ୍ୟାୟ ପାଇଁ ଏକ ଘରୋଇ ସଂଗଠନର ବିଶେଷଜ୍ଞଙ୍କ ମାଧ୍ୟମରେ ଗାଇଡ୍ ହେବାକୁ ମନୋନୀତ ହୋଇଛନ୍ତି। ଏମାନେ ସମସ୍ତେ ନିକଟସ୍ଥ ସ୍ଥାନୀୟ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏବେ  ବଛାଯାଇଥିବା ୬୦ଜଣ ଗାଇଡଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଟ୍ରେନିଂ ଶେଷ ହେବା ପ‌ରେ ସେମାନେ କାମ ଆରମ୍ଭ କରିବେ। ଆସୁଥିବା ପର୍ଯ୍ୟଟକଙ୍କୁ ସେମାନେ କୁନୋ ଜାତୀୟ ଉଦ୍ୟାନ ବୁଲାଇବା ସହ ଏହାର ଇତିହାସ ବିଷୟରେ ଜଣାଇବେ।

ତେବେ କିଛି ଦିନ ତଳେ ନାମିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ୨ଟି ଚିତା ନିଜର ପ୍ରଥମ ଶିକାର କରିିଥିଲେ। ଦୁଇଟି ଚିତାକୁ ଛୋଟ ଏନକ୍ଲୋଜରରୁ ବାହାର କରି ବଡ଼ ଏନକ୍ଲୋଜରରେ ଛାଡି ଦିଆଯାଇଥିଲା। ବଡ଼ ଏନକ୍ଲୋଜରକୁ ଯିବା ପରେ ଏହି ୨ଟି ଚିତା ଭାରତରେ ନିଜର ପ୍ରଥମ ଶିକାର କରିଥିଲେ। ଛୋଟ ଏନକ୍ଲୋଜରରୁ ମୁକ୍ତ ହେବାର ୨୪ଘଣ୍ଟା ମଧ୍ୟରେ ଚିତାମାନେ ହରିଣର ଶିକାର କରିଥିଲେ।