ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୁନ୍ତଳା କୁମାରୀଙ୍କ କବିତା

ନୂଆଦିଲ୍ଲୀ: ଦାୟିତ୍ବ ଗ୍ରହଣ କରିବାପରେ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ବଜେଟ୍‌ ପୂର୍ବରୁ ଆଜି ପ୍ରଥମଥର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ସୁପ୍ରସିଦ୍ଧ ନାରୀ କବି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ନାରୀ ଶକ୍ତି କବିତାକୁ ସ୍ମରଣ କରିଥିଲେ। ଶହେ ବର୍ଷ ପୂର୍ବେ ଲେଖାଯାଇଥିବାର ପଂକ୍ତିକୁ ଉଦ୍ଧାର କରି କହିଲେ, ‘‘ବସୁନ୍ଧରା ତଳେ ଭାରତ ରମଣୀ ନୁହେଁ ହୀନ ନୁହେଁ ଦୀନ, ଅମର କୀରତି କୋଟି ଯୁଗେ କେଭେଁ ଜଗତୁଁ ନହୋଇବ ଲୀନ’’ (ଭାରତର ନାରୀ ପୃଥିବୀରେ କାହାର ତୁଳନାରେ ହୀନ ନୁହେଁ କି ଦରିଦ୍ର ନୁହେଁ, ଜଗତରେ ତାର ଅମରକୀର୍ତ୍ତି ଯୁଗଯୁଗ ପର୍ଯ୍ୟନ୍ତ କେବେ ଲୁପ୍ତ ହେବନାହିଁ)।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ମୋତେ ଆଜି ଗର୍ବ ଲାଗୁଛି ଯେ ଆମର ଭଉଣୀ ଏବଂ ଝିଅମାନେ ଉତ୍କଳ ଭାରତୀଙ୍କ ସ୍ବପ୍ନ ଅନୁରୂପ ବିଶ୍ବସ୍ତରରେ ନିଜର ବିଜୟର ବାନା ଉଡ଼ାଉଛନ୍ତି। ମହିଳାମାନଙ୍କ ଏଭଳି ପ୍ରଗତି ପଛରେ ମୋ ସରକାରଙ୍କ ପ୍ରୟାସ ରହିଛି। କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ବିତ କରୁଛି। ଆଣ୍ଡାମାନ ନିକୋବରରେ ମଧ୍ୟ ନେତାଜୀ ଓ ଆଜାଦ ହିନ୍ଦ୍‌ ଫୌଜର ଶୌର୍ଯ୍ୟକୁ ଆମେ ସମ୍ମାନ ଦେଇଛୁ। କିଛି ଦିନ ପୂର୍ବେ ମୋ ସରକାରଙ୍କ ଦ୍ବାରା ଆଣ୍ଡାମାନ ନିକୋବର ଦ୍ବୀପ ସମୂ୍ହରେ ନେତାଜୀଙ୍କୁ ସମର୍ପିତ ଭବ୍ୟ ସ୍ମାରକ ଏବଂ ସଂଗ୍ରହାଳୟର ଶିଳାନ୍ୟାସ କରାଯାଇଛି ବୋଲି ରାଷ୍ଟ୍ରପତି କହିଥିଲେ।

ସମ୍ବନ୍ଧିତ ଖବର