କୁପ୍‌ଓ୍ଵାଡ଼ାରେ ଏନ୍‌କାଉଣ୍ଟର : ୫ ଯବାନ ସହିଦ, ୫ ଆତଙ୍କବାଦୀ ନିପାତ

ଶ୍ରୀନଗର : ଉତ୍ତର କଶ୍ମୀରର କୁପ୍‌ଓ୍ଵାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୨୨ ଘଣ୍ଟା ଧରି ଜାରି ରହିଥିବା ଗୁଳି ବିନିମୟ ଆଜି ଅପରାହ୍ନରେ ଥମିଥିବା ବେଳେ ଏଥିରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ବାହିନୀ ଗୁଳିରେ ମୋଟ ୫ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। କୁପ୍‌ଓ୍ଵାଡ଼ା ଜିଲ୍ଲାର ହଲମତପୁରା ଅଞ୍ଚଳରେ ଗତକାଲି ଅପରାହ୍ନରେ କମ୍ବିଂ ଅପରେସନ ବେଳେ ପ୍ରାୟ ୭ ଜଣ ଲସ୍କର ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା ଏବଂ ସେମାନେ ସୁରକ୍ଷା ବାହିନୀ ଉପରକୁ ତତ୍‌୍‌କ୍ଷଣାତ ସ୍ୱୟଂଚାଳିତ ବନ୍ଧୁକର ଆଖିବୁଜା ଗୁଳିମାଡ଼ କରିଥିଲେ। ସୁରକ୍ଷା ବାହିନୀର ପାଲଟା ଜବାବରେ ଗତକାଲି ରାତି ୯ଟା ସୁଦ୍ଧା ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆଜି ଆଉ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଗତ ରାତି ତମାମ ଅପରେସନ ଜାରି ରହିଥିବା ବେଳେ ଏଥିରେ ଜମ୍ମୁ କଶ୍ମୀର ପୁଲିସର ୩ ଯବାନ ଓ ସେନାର ୨ ଜଣ ଯବାନ ସହିଦ ହୋଇଥିବା ଉଭୟ ସେନା ଓ ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି।

ଘଟଣାସ୍ଥଳରୁ ୫ ଆତଙ୍କବାଦୀଙ୍କ ମୃତଦେହ ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆରମପୁରା-ହଲମତପୁରାର ଫତେହଖାନ୍‌ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିବା ବେଳେ ଘଟଣାସ୍ଥଳରୁ ୨ କିମି ଦୂରରେ ଲସ୍କରର ଏକ ଶିବିର ମଧ୍ୟ ଠାବ କରାଯାଇଛି। ସୀମାର ଶେଷ ଗ୍ରାମ ହଲମତପୁରାଠାରୁ ଏହି ଏନ୍‌କାଉଣ୍ଟର ସ୍ଥଳ ୨୦-୨୫ କିମି ଦୂରତାରେ ଅବସ୍ଥିତ ଏବଂ କୁପଓ୍ଵାଡ଼ା ସହରଠାରୁ ଏହାର ଦୂରତା ମାତ୍ର ୮ କିମି । ଗତ ୧୫ ଏବଂ ୧୬ ତାରିଖରେ ଶ୍ରୀନଗରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମଧ୍ୟ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।

ସମ୍ବନ୍ଧିତ ଖବର