କୁମାରସ୍ୱାମୀ: ଚଳଚ୍ଚିତ୍ର ପ୍ରଯୋଜକରୁ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଜେଡିଏସ୍‌ ନେତା ଏଚ.ଡି. କୁମାରସ୍ୱାମୀ(୫୮) ଆଜି ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ୨୦୦୬-୨୦୦୭ ଯାଏଁ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଚଳଚ୍ଚିତ୍ର ପ୍ରତି କୁମାରସ୍ୱାମୀଙ୍କର ଯଥେଷ୍ଟ ଆଗ୍ରହ ରହିଛି। ସେ ଅନେକ କନ୍ନଡ଼ ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା ବେଳେ କେତେକରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ସେ ଜଣେ ଜଣାଶୁଣା ଚଳଚ୍ଚିତ୍ର ଡିଷ୍ଟ୍ରିବ୍ୟୁଟର। ୧୯୫୯ ମସିହା ଡିସେମ୍ବର ୧ ତାରିଖରେ କର୍ଣ୍ଣାଟକର ମହୀଶୁରରେ ଜନ୍ମିତ କୁମାରସ୍ୱାମୀଙ୍କ ପିତା ଏଚ.ଡି.ଦେବେଗୌଡା ହେଉଛନ୍ତି ଜେଡିଏସ୍‌ର ମୁଖ୍ୟ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ। ୧୯୯୬ ମସିହାରେ କନକପୁରା ଲୋକସଭା ଆସନରୁ ଜିତିବା ସହିତ କୁମାରସ୍ୱାମୀ ସଫଳ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୯୯ ବିଧାନସଭା ନିର୍ବାଚନରେ ଲଢ଼ିି ହାରିଯିବା ପରେ ୨୦୦୪ରେ ପୁଣିଥରେ ରାମନଗର ଆସନରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିବର୍ଷ ରାଜ୍ୟରେ କଂଗ୍ରେସ ସହ ମିଶି ସରକାର ଗଠନ କଲେ। କିନ୍ତୁ ୨୦୦୬ ମସିହା ବେଳକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ କୁମାରସ୍ୱାମୀ କଂଗ୍ରେସ ନିକଟରେ ଦାବି କରିଥିଲେ। ଦାବି ପୂରଣ ନହେବାରୁ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହ ହାତ ମିଳାଇ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହେଲେ। କୁମାରସ୍ୱାମୀ ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କ ନାମ ଅନିତା ଓ ତାଙ୍କ ପୁଅ ନିଖିଲ ଜଣେ କନ୍ନଡ ଅଭିନେତା। ଦ୍ୱିତୀୟ ପତ୍ନୀ ରାଧିକାଙ୍କଠାରୁ କୁମାରସ୍ୱାମୀ ୨୯ ବର୍ଷ ବଡ।

ସମ୍ବନ୍ଧିତ ଖବର