ନୂଆଦିଲ୍ଲୀ : ଅସନ୍ତୁଷ୍ଟ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ସୋମବାର ଦଳରୁ ଇସ୍ତଫା ଘୋଷଣା କରିଛନ୍ତି । ଜେଡିୟୁର ସଂସଦୀୟ ବୋର୍ଡ ଅଧ୍ୟକ୍ଷ କୁଶୱାହା ଜେଡିୟୁ ଛାଡ଼ୁଥିବା ଘୋଷଣା କରିବା ସହ ଏକ ନୂଆ ଦଳ ଆରମ୍ଭ କରିଛନ୍ତି। କୁଶୱାହା ତାଙ୍କ ନୂଆ ଦଳର ନାମ ରାଷ୍ଟ୍ରୀୟ ଲୋକ ଜନତା ଦଳ (ଆର୍‌ଏଲ୍‌ଜେଡି) ରଖିଛନ୍ତି। ଜେଡିୟୁର ରଣନୀତିକୁ ନେଇ କୁଶୱାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଥିଲା। ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଶୱାହା କହିଛନ୍ତି, ଆମେମାନେ ଏକ ନୂଆ ଦଳ ରାଷ୍ଟ୍ରୀୟ ଲୋକ ଜନତା ଦଳ ଗଠନ କରିବାପାଇଁ ନିଷ୍ପତ୍ତି ନେଲୁ। ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଗଲା ଏବଂ ମୁଁ ଦଳର ଜାତୀୟ ସଭାପତି ରହିଲି। ଗତ ୨ ଦିନ ଧରି ପାଟନାରେ ଏ‌ଥିପାଇଁ ବୈଠକ ହୋଇଥିଲା। ବିଭିନ୍ନ ଜେଡିୟୁ କର୍ମୀଙ୍କ ସହ ବୈଠକ ପ‌ରେ ଭବିଷ୍ୟତର ରଣନୀତି ପାଇଁ ପରାମର୍ଶ ମାଗିଥିଲେ।

Advertisment

କୁଶୱାହା କହିଛନ୍ତି, ଆଜିଠାରୁ ଏକ ନୂ୍ଆ ରାଜନୈତିକ ଇନିଂସ ଆରମ୍ଭ ହେଲା। ଜେଡିୟୁରେ ମାତ୍ର ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ଚିନ୍ତାରେ ଅଛନ୍ତି। ନୀତୀଶ କୁମାର ଆରମ୍ଭରେ ଭଲ କାମ କରିଛନ୍ତି। କିନ୍ତୁ ଏବେ ସେ ‌ଯେଉଁ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି ତାହା ଉଭୟ ତାଙ୍କ ପାଇଁ ଏବଂ ବିହାର ପାଇଁ ମଙ୍ଗଳମୟ ନୁହେଁ। ମୁଖ୍ୟମନ୍ତ୍ରୀ ଏବେ ତାଙ୍କ ନିଜ ଇଚ୍ଛାରେ କାମ କରୁନାହାନ୍ତି। ତାଙ୍କ ଚାରି ପାଖରେ ଥିବା ଲୋକଙ୍କ ଇଚ୍ଛା‌ରେ କାମ କରୁଛନ୍ତି ବୋଲି କୁଶୱାହା କହିଛନ୍ତି। କୁଶୱାହା ଜେଡିୟୁ ଛାଡ଼ିବା ପରେ ନୀତୀଶଙ୍କର ଅଡ଼ୁଆ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି।