ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଓମାନ ଆଡକୁ ମୁହାଁଇଛି କ୍ୟାର୍‌

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା କ୍ୟାର ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଭୀଷଣ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହା ଯୋଗୁଁ ସମୁଦ୍ରରେ ଉଚ୍ଚା ଜୁଆର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ଆସନ୍ତା କାଲି (ଅକ୍ଟୋବର ୨୮ ତାରିଖ) ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଓ ତାପରେ ଧୀରେ ଧୀରେ ଦୂର୍ବଳ ହେବ । ଏହା ଯୋଗୁଁ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟରକୁ ଛୁଇଁବା ଆଶଙ୍କା ରହିଛି । ଗତକାଲି ଆଇଏମଡି କହିଥିଲା ଯେ ପବନର ବେଗ ୧୮୦ କିଲୋମିଟର ହେବ । କିନ୍ତୁ ଆଜି ବାତ୍ୟା ଅଧିକ ଘନୀଭୂତ ହେବା ପରେ ପବନର ବେଗ ଆହୁରି ବୃଦ୍ଧି ପାଇଛି । ତେବେ ଏହାର ପ୍ରଭାବ ଭାରତୀୟ ଉପକୂଳରେ ସେତେଟା ପଡିବାର ସମ୍ଭାବନା କମ । କାରଣ ଏହା ଧୀରେ ଧୀରେ ଓମାନ ଆଡକୁ ମୁହାଁଇବା ଆରମ୍ଭ କରିଛି ।
କ୍ୟାର ଏବେ ମୁମ୍ବାଇଠାରୁ ୫୮୦ କିମି ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା ୫ ଦିନ ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓମାନ ସାଗର ଆଡକୁ ଯିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର