କିବ୍ : ବର୍ଷ ୨୦୨୨ ୟୁକ୍ରେନବାସୀଙ୍କ ପାଇଁ ଯୁଦ୍ଧର ଘନଘଟା ଓ ରକ୍ତପାତ ନେଇ ଆସିଥିଲା । ଏହା ସତ୍ତ୍ବେ ୟୁକ୍ରେନବାସୀ ଆଗାମୀ ବଡ଼ଦିନ ପାଳନ କରିବାକୁ ପ୍ରସ୍ତୁତ ହୋଇଗଲେଣି । ଯୁଦ୍ଧ ବିଧ୍ବସ୍ତ ରାଜଧାନୀ କିବ୍ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ‘କ୍ରସମାସ ଟ୍ରି’। କେବଳ କିବ ସହର ନୁହେଁ, ୟୁକ୍ରେନର ଅନ୍ୟ ସହରର ଲୋକମାନେ ବି ଏହି ଭୟଙ୍କର ବିପଦ ମଧ୍ୟରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Advertisment

ଅନ୍ୟପକ୍ଷରେ ଶୁକ୍ରବାରଦିନ କିବ ସମେତ ଅନ୍ୟ ସହର ଉପରେ ରୁଷ ପକାଇଥିବା ୭୦ରୁ ଅଧିକ କ୍ଷେପଣାସ୍ତ୍ରରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । କେନ୍ଦ୍ରୀୟ ୟୁକ୍ରେନର ସହର କ୍ରିଭି ରି ସହରରେ ଏହି ୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଧ୍ବଂସସ୍ତୁପ ତଳେ ଆହୁରି ମୃତଦେହ ରହିଥିବା ସଂଦେହ କରାଯାଉଛି । ଦୁଃଖର କଥା ହେଉଛି ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁପୁତ୍ର ରହିଛି ।

ଶୁକ୍ରବାରଦିନ କେବଳ କିବ ଉପରେ ୪୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ତେବେ ଏହା ମଧ୍ୟରୁ ପ୍ରାୟ ୩୭ଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ବାୟୁ ସୁରକ୍ଷା ପ୍ରଣାଳୀ ଆକାଶରେ ହିଁ ନଷ୍ଟ କରିଦେଇଥିଲା ବୋଲି ୟୁକ୍ରେନ ଦାବି କରିଛି । ପରମାଣୁ କେନ୍ଦ୍ର ଥିବା ଜାପୋରିଝିଆ ସହର ଉପରେ ୧୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।