ମଧ୍ୟ-ଏସିଆରେ ଆଉ ଏକ ଯୁଦ୍ଧ : କିରଗୀଜସ୍ତାନ-ତାଜିକିସ୍ତାନ ସେନା ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ : ସୋଭିଏସ ସଂଘରୁ ବାହାରି ସ୍ବାଧୀନ ହୋଇଥିବା ବିଭିନ୍ନ ଦେଶମାନଙ୍କ ମଧ୍ୟରେ ସଂଘର୍ଷ ଦିନକୁ ଦିନ ବଢିଚାଲିଛି । ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଆଉ ଦୁଇ ପୂର୍ବତନ ସୋଭିଏତ ରାଷ୍ଟ୍ର ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ସଂଘର୍ଷ ସଂଘର୍ଷ ଆରମ୍ଭ ହୋଇଯାଇଛି ।

ଏତିକି ଯେମିତି ଯଥେଷ୍ଟ ନ ଥିଲା, ଆଉ ଦୁଇ ପୂର୍ବତନ ସୋଭିଏତ ଦେଶଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଏହି ଦୁଇ ଦେଶ ହେଲେ କିରଗୀଜସ୍ତାନ ଓ ତାଜିକିସ୍ତାନ । ଗତ ୧୪ରୁ ୧୭ ତାରିଖ ମଧ୍ୟରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୪୬ ଜଣ କିରଗୀଜ ଲୋକ ପ୍ରାଣ ହରାଇଛନ୍ତି ଓ ୧୪୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ତାଜିକସ୍ତାନ ଏପର୍ଯ୍ୟନ୍ତ ନିଜର ମୃତାହତଙ୍କ ସଂଖ୍ୟା ସଂପର୍କରେ ଘୋଷଣା କରିନାହିଁ ।

ଆଗକୁ ଯୁଦ୍ଧ ବଢିବାର ଆଶଙ୍କା ରହିଥିବାରୁ ସୀମାରୁ ପ୍ରାୟ ଦେଢ ଲୋକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି । କିରଗିଜସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ତାଜିକିସ୍ତାନ ସେନା ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲା ।

ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଉଭୟ ଦେଶଙ୍କୁ ଶାନ୍ତି ବଜାୟ ରଖିବା ସହ ଆଲୋଚନା ମାଧ୍ୟମରେ ସୀମା ବିବାଦରେ ସମାଧାନ କରିବାକୁ କହିଛନ୍ତି ।

୧୯୯୧ରେ ସୋଭିଏତ ସଂଘର ବିଘଟନ ପରେ କିରଗୀଜସ୍ତାନ ଓ ତାଜିକିସ୍ତାନ ସ୍ବାଧୀନ ଦେଶରେ ପରିଣତ ହୋଇଥିଲେ । କିନ୍ତୁ ସେବେଠାରୁ ଉଭୟ ଦେଶଙ୍କ ମଧ୍ୟରେ ସୀମା ବିବାଦ ରହିଛି । ଉଭୟ ଦେଶ ମଧ୍ୟରେ ଥିବା ୯୭୦ କିଲୋମିଟର  ସୀମା ଏବେ ବି ସଂପୂର୍ଣ୍ଣଭାବେ ନିର୍ଦ୍ଧାରିତ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର