ପୁଣି ଆପ୍-ଉପରାଜ୍ୟପାଳ ମୁହାଁମୁହିଁ: ମନୀଷ ସିସୋଦିଆଙ୍କ ନାଁରେ ୨୦ କୋଟିର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମି ପାର୍ଟି (ଆପ୍ ) ସରକାର ଓ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଧ୍ୟକ୍ଷତାରେ ଥିବା ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ୨୦ କୋଟି ଟଙ୍କାର ଏକ ଅର୍ଥ ତୋଷାରପାତ ମାମଲାରେ ଉପରାଜ୍ୟପାଳ ଆଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଗକୁ ଏହି ବିବାଦ ବଢିବାର ସମ୍ଭାବନା ଦେଖାଦେଇଛି ।

ଜଳ ବୋର୍ଡରେ ହୋଇଥିବା ୨୦ କୋର୍ଟ ତୋଷାରପାତ ପଛରେ କେଉଁ ଅଧିକାରୀ ବା କର୍ମଚାରୀମାନେ ଅଛନ୍ତି ତାହାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଉପରାଜ୍ୟପାଳ ଦିଲ୍ଲୀର ମୁଖ୍ୟସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଦୁର୍ନୀତି ଅଭିଯୋଗରୁ ଆପ୍ ନିଜକୁ ଦୂରେଇ ରଖିଛି । ଦଳର ମୁଖପାତ୍ର ସୌରଭ ଭରଦ୍ବାଜ କହିଛନ୍ତି ଯେ, ଆପ ମଧ୍ୟ ଏହି ତଦନ୍ତକୁ ସ୍ବାଗତ କରୁଛି । ନିଜେ ସିସୋଦିଆ ପୂର୍ବରୁ ଏହି ଦୁର୍ନୀତିର ତଦନ୍ତ ପାଇଁ କହିଥିଲେ ।

ଅଭିଯୋଗ ହୋଇଛି ଯେ, ଗତ କିଛି ବର୍ଷ ହେଲା ପାଣି ବିଲ୍ ବାବଦରେ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ୨୦ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ଏହା ସରକାରୀ ରାଜସ୍ବ ହୋଇଥିଲେ ବି ତାହାକୁ ଏକ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଥିଲା ।

ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କର୍ପୋରେସନ ବ୍ୟାଙ୍କକୁ ଜଳ କର ଆଦାୟ ପାଇଁ ବ୍ୟାଙ୍କର ନିୟୁକ୍ତ କରାଯାଇଥିଲା । କିନ୍ତୁ କର୍ପୋରେସନ ବ୍ୟାଙ୍କ ଏକ ଘରୋଇ କମ୍ପାନି ଫ୍ରେସପେ ଆଇଟି ସଲ୍ୟୁସନ୍ସ କୁ ଏଥିପାଇଁ ନିଯୁକ୍ତ କରିଥିଲା, ଯାହାକି ନିୟମର ଉଲ୍ଲଙ୍ଘନ ବୋଲି ଉପରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର