ଲେହ: ଲେହକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ସେପ୍ଟେମ୍ବର ୨୪ରେ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ପାଖାପାଖି ୯୦ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ଆନ୍ଦୋଳନର ନେତୃତ୍ବ ନେଉଥିବା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଗିରଫ କରାଯାଇଛି। ଲଦାଖ ପ୍ରସଙ୍ଗରେ ଏଲ୍‌ଏବି (ଲେହ ଆପେକ୍ସ ବଡି) ସହିତ କେନ୍ଦ୍ର ସରକାରଙ୍କ ଆଲୋଚନା ଆସନ୍ତା ୬ ତାରିଖରେ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଗୁଳିଚାଳନାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବିରେ ଏଲ୍‌ଏବି ଆଜି ଆଲୋଚନାକୁ ବର୍ଜନ ଘୋଷଣା କରିଛି।  ଆନ୍ଦୋଳନ ସମୟରେ ଅଟକ ଥିବା ସମସ୍ତଙ୍କୁ ତୁରନ୍ତ ବିନା ସର୍ତ୍ତରେ ମୁକ୍ତ କରିବାକୁ କେଡିଏ କହିଛି। ଲଦାଖରୁ ଭୟ, ଦୁଃଖ ଓ  କ୍ରୋଧର ପରିବେଶ ଦୂର କରିବାକୁ ଏଲ୍‌ଏବି ଅଧ୍ୟକ୍ଷ ଥୁପ୍‌ସ୍ଥାନ୍‌ ଛିୱାଙ୍ଗ ସରକାରଙ୍କୁ କହିଛନ୍ତି। 

Advertisment

ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀ ତଥା ପାକିସ୍ତାନର ସଖୀ କଣ୍ଢେଇ ପାଲଟିଥିବା ବୋଲି କେନ୍ଦ୍ର ସରକାରଙ୍କ ମନ୍ତବ୍ୟକୁ ‌ବିରୋଧ କରାଯାଇଛି। ଏନେଇ କେନ୍ଦ୍ର ସରକାର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଏଲ୍‌ଏବି ଏବଂ କେଡିଏ (କାର୍ଗିଲ ଡେମୋକ୍ରାଟିକ ଆଲିଆନ୍ସ) ଦାବି କରିଛନ୍ତି।
 

ଏହି ଦୁଇ ସଙ୍ଗଠନ ଲଦାଖ ପାଇଁ ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି। ଲେହରେ ଗତ ସପ୍ତାହ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବା ନେଇ କେନ୍ଦ୍ରାଞ୍ଚଳ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ସଙ୍ଗଠନ। ଯେମିତି ଭାବେ ଗୁଳି ଚାଳନା ହେଲା ଏବଂ ଏତେଜଣ ମୃତାହତ ହେଲେ କାହାକୁ ନା କାହାକୁ ଏଥିପାଇଁ ଦାୟିତ୍ବ ନେବାକୁ ପଡ଼ିବ ବୋଲି କେଡିଏ ନେତା ସାଜଦ କାର୍ଗିଲି ସୋମବାର କହିଛନ୍ତି।  ତେବେ ଲଦାଖ ପ୍ରସଙ୍ଗରେ ସରକାର ଉଭୟ ସଂଗଠନ ସହିତ ସବୁ ସମୟରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଆଜି ଗୃହ ମନ୍ତ୍ରାଳୟ କହିଛି। ଲଦାଖ ସରକାରରେ ୧୮୦୦ କର୍ମଚାରୀଙ୍କୁ ନିଯୁକ୍ତି ପ୍ରକ୍ରିୟା ଚାଲିଛି ବୋଲି ମଧ୍ୟ କୁହାଯାଇଛି।