ନୂଆଦିଲ୍ଲୀ/ଭୁବନେଶ୍ବର : ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହ ଆଉ ନାହାନ୍ତି। ଗତକାଲି ନୂଆଦିଲ୍ଲୀର ଦ୍ୱାରକା ସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିବାର ତାଙ୍କର ଭଉଣୀ ନିବେଦିତା ସୁଦେର ସୂଚନା ଦେଇଛନ୍ତି। ନିବେଦିତାଙ୍କ ସୂଚନା ଅନୁସାରେ ଲାବଣ୍ୟେନ୍ଦୁ କୋଭିଡ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ। ତାଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହୋଇଥିବା ବେଳେ କୋଭିଡ୍ କାରଣ ରହିଛି ନା ନାହିଁ ଏ ସମ୍ପର୍କରେ ମେଡିକାଲ ରିପୋର୍ଟ ହସ୍ତଗତ ହେଲେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଲାବଣ୍ୟେନ୍ଦୁଙ୍କ ପତ୍ନୀ କରୋନା ପଜିଟିଭ୍ ହେବାପରେ ଘରେ ଚିକିତ୍ସିତ ହେଉଥିବାର ନିବେଦିତା କହିଥିଲେ। ଓଡ଼ିଶାର ସ୍ବନାମଧନ୍ୟ କବି ସ୍ୱର୍ଗତ ମାୟାଧର ମାନସିଂହ ଓ ହେମଲତା ମାନସିଂହଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଲାବଣ୍ୟେନ୍ଦୁ ମାନସିଂହ।

Advertisment

ସ୍ୱର୍ଗତ ମାୟାଧର ମାନସିଂହ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ସମୟରେ ଲବଣ୍ୟେନ୍ଦୁ ସମ୍ବଲପୁରଠାରେ ୧୯୪୬ ମସିହା ଅକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରୁ ସ୍ନାତକ ଏବଂ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କୃତିତ୍ବର ସହିତ ସ୍ନାତକୋତ୍ତର ପାସ୍‌ କରି କିଛି ବର୍ଷ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗୁଜୁରାଟ କ୍ୟାଡର ଆଇଏଏସ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ବିଶେଷ କରି ଗୁଜୁରାଟର ଲାଠୋର ଭୂମିକମ୍ପ ସମୟରେ ତାଙ୍କର ଗୁରୁତତ୍ୱପୂର୍ଣ ଭୂମିକା ପାଇଁ ସେ ଗୁଜୁରାଟ ଲୋକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ l ଆଇଏଏସ୍ ଲାବଣ୍ୟେନ୍ଦୁ ମାନସିଂହ ଭାରତ ସରକାରଙ୍କ ବିଭିନ୍ନ ଗୁହୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକରି ୨୦୦୬ ମସିହା ଅକ୍ଟୋବର ୩୧ ତାରିଖରେ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ସଚିବ ରୂପେ ଅବସର ଗ୍ରହଣ କରିଥିଲେ। ତା ପୂର୍ବରୁ ସେ ବୈଦେଶିକ ବାଣିଜ୍ୟ ବିଭାଗର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ l ଅବସର ପରେ ଶ୍ରୀ ମାନସିଂହ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ରୂପେ ୨୦୦୭ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଶ୍ରୀ ମାନସିଂହ ୧୯୭୦ ବ୍ୟାଚର ଆଇଏଏସ ଅଫିସର ଏବଂ ସେହି ବ୍ୟାଚର ୟୁପିଏସ ସି ର ଟପ୍ପର ଅନୁରାଧାଙ୍କୁ ବିବାହ କରିଥିଲେ।
ଆମେରିକାରର ପୂର୍ବତନ ଭାରତୀୟ ଅମ୍ବାସାଡର ଲଳିତ ମାନସିଂହ ଏବଂ କାନାଡ଼ାରେ ଅବସ୍ଥାପିତ ପ୍ରସିଦ୍ଧ ଭୂ-ବୈଜ୍ଞାନିକ ଡ଼ଃ ଲଲାଟେନ୍ଦୁ ମାନସିଂହ ହେଉଛନ୍ତି ତାଙ୍କର ବଡ ଭାଇ l ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି l