ଶ୍ରମିକ ସ୍ପେସାଲ ରେଳଗାଡ଼ି ‌ପ୍ରସଙ୍ଗ: ଶାହ-ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ‌ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଭିଯୋଗ କରିଛନ୍ତି, ପଶ୍ଚିମବଙ୍କ ସରକାର ରାଜ୍ୟକୁ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌କୁ ପ୍ରବେଶ ଅନୁମତି ଦେଉନାହାନ୍ତି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କଠାରୁ ଆବଶ୍ୟକ ସମର୍ଥନ ପାଉନାହାନ୍ତି। ରେଳବାଇ ଦ୍ବାରା ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲୁଥିବା ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌କୁ ପଶ୍ଚିମବଙ୍ଗ ସରକାର ରାଜ୍ୟକୁ ପ୍ରବେଶ ଅନୁମତି ନଦେବା ପ୍ରବାସୀ ଶ୍ରମିକଙ୍କ ପାଇଁ ଅତ୍ୟନ୍ତ ଅନ୍ୟାୟ ବୋଲି ଗୃହ ମନ୍ତ୍ରୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଚିଠି ଲେଖିଛନ୍ତି। ଶାହ କହିଛନ୍ତି ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ସରକାର ୨ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସହଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ଫସିଥିବା ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକ ବି ରାଜ୍ୟକୁ ଫେରିବାକୁ ଚାହୁଛନ୍ତି। କେନ୍ଦ୍ର ସରକାର

ଏନେଇ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ମମତା ସରକାର ଏନେଇ କେନ୍ଦ୍ରକୁ ସହଯୋଗ କରୁନାହାନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏହ‌ି ନିଷ୍ପତ୍ତି କେବଳ ପ୍ରବାସୀଙ୍କ ପାଇଁ କଷ୍ଟଦାୟକ ପରିସ୍ଥିତି ସୃଷ୍ଟି କରିଛି ବୋଲି ଶାହ କହିଛନ୍ତି। ପଶ୍ଚିମବଙ୍ଗ ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଶାହ ଅନୁରୋଧ କରିଛନ୍ତି। କିନ୍ତୁ ଶାହଙ୍କର ଚିଠି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଟିଏମ୍‌ସି। ଶାହ ମମତାଙ୍କୁ ଦେଇଥିବା ଚିଠିରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଠିକ୍‌ ବୋଲି ପ୍ରମାଣ ଦିଅନ୍ତୁ ନଚେତ୍‌ ଭୁଲ୍‌ ମାଗନ୍ତୁ ବୋଲି ଟିଏମ୍‌ସି ନେତା ଅଭିଶେକ ବାନାର୍ଜୀ କହିଛନ୍ତି। ଗୃହ ମନ୍ତ୍ରୀ ଅନେକ ସପ୍ତାହ ଧରି ନିରବ ରହିବା ପରେ ଘୃଣା ବାଣ୍ଟୁଛନ୍ତି। ସଙ୍କଟ ସମୟରେ ଗୃହମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି। କେବଳ ଲୋକଙ୍କୁ ଭୁଲ୍‌ ବାଟରେ ନେବାପାଇଁ ଶାହ ଘୃଣା ବାଣ୍ଟୁଛନ୍ତି ବୋଲି ଟିଏମ୍‌ସି ନେତା କହିଛନ୍ତି। ଅନ୍ୟପ‌କ୍ଷେ ରାଜ୍ୟ ସରକାର କର୍ଣ୍ଣାଟକ, ତାମିଲନାଡ଼ୁ, ପଂଜାବ ଏବଂ ତେଲେଙ୍ଗାନାରେ ଫସିଥିବା ପ୍ରବାସୀମାନଙ୍କୁ ଫେରାଇବା ପାଇଁ ୮ଟି ‌ଟ୍ରେନ୍‌ ଯୋଜନା କରିଛନ୍ତି ବୋଲି ଟିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ ପରିଚାଳନା ପାଇଁ ଏଯାବତ୍‌ ପଶ୍ଚିମବଙ୍ଗ ସରକାରଙ୍କଠାରୁ କୌଣସି ପ୍ରକାର ପ୍ରସ୍ତାବ ଆସିନାହିଁ।

ସମ୍ବନ୍ଧିତ ଖବର