ନୂଆଦିଲ୍ଲୀ: ଭୁଶୁଡ଼ି ପଡ଼ିଥିବା ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ୪୧ ଜଣ ଶ୍ରମିକ ୧୭ ଦିନ ଫସି ରହିବା ପରେ ଶେଷରେ ମଙ୍ଗଳବାର ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସୁଡ଼ଙ୍ଗ ଭିତରେ ଥିବା ସମୟରେ ଶ୍ରମିକମାନଙ୍କୁ ସାହସ ଦେବା ଓ ମନୋବଳ ବଢ଼ାଇବାରେ ସାହାଯ୍ୟ କରିଥିଲେ ବରିଷ୍ଠ ଶ୍ରମିକ ଗବ୍ବର ସିଂହ ନେଗୀ, ଯିଏ କି ସେଠାରୁ ୨୬୦ କିଲୋମିଟର ଦୂରରେ ପୌରୀ ଗଡ଼ୱାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ତିନୋଟି ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ରହିବାର ଦୁର୍ଭାଗ୍ୟଜନକ ଗୌରବ ପାଇଥିଲେ।

Advertisment

ପ୍ରାୟ ୨୦୦ ଫୁଟରୁ ଅଧିକ ତଳେ ୪୦୦ରୁ ଅଧିକ ଘଣ୍ଟା ବିତାଇଥିଲେ ଏହି ଶ୍ରମିକମାନେ। ଶ୍ରୀ ନେଗୀ ତାଙ୍କ ସହକର୍ମୀମାନଙ୍କୁ ଯୋଗ ଓ ଧ୍ୟାନ ଶିଖାଇଥିଲେ। ସେମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରଖିବାକୁ ସେ ଚେଷ୍ଟା କରିଥିଲେ। ତା’ପରେ ସେମାନଙ୍କୁ ଭରସା ଦେଇ କହିଥିଲେ ଯେ ସମସ୍ତେ ଉଦ୍ଧାର ହେବା ପରେ ସବା ଶେଷରେ ସେ ଉଦ୍ଧାର ହେବେ। “ମୁଁ ସବୁଠାରୁ ବରିଷ୍ଠ... ମୁଁ ହିଁ ସବା ଶେଷରେ ଉଦ୍ଧାର ହେବି...’ ବୋଲି କହିଥିଲେ ନେଗୀ। ବୁଧବାର ସକାଳେ ତାଙ୍କ ଭାଇ ଜୟମଲ ସିଂହ ନେଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସମସ୍ତ ୪୧ ଜଣ ସାମାନ୍ୟ ଆହତ ହୋଇ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲେ ଏବଂ ହସହସ ମୁହଁ ସହ ବାହାରକୁ ବାହାରିଥିଲେ। ଏହାର କାରଣ ହେଉଛି ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ଗବ୍ବର ନେଗୀଙ୍କ ପ୍ରୟାସ ବୋଲି କହିଛନ୍ତି ତାଙ୍କ ଭାଇ ଜୟମଲ। ଜୟମଲ କହିଛନ୍ତି, ‘ମୁଁ ପ୍ରତିଦିନ ଭାଇଙ୍କ ସହ ପ୍ରଥମେ ପାଇପ ମାଧ୍ୟମରେ ଏବଂ ପରେ ଫୋନରେ କଥା ହେଉଥିଲି। ମୁଁ ମୋ ଭାଇଙ୍କୁ ଯୋଗ କରିବାକୁ ପରାମର୍ଶ ଦେଲି। ସେ କହିଲେ, ହଁ, ଆମେ ସମସ୍ତେ ଏହା କରୁଛୁ। ମୁଁ ପଚାରିଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ବେଳେ ଦଳାଚକଟା ହେବନି ତ? ସେତେବେଳେ ସେ କହିଥିଲେ, ମୁଁ ବରିଷ୍ଠ, ମୁଁ ସବା ଶେଷରେ ଉଦ୍ଧାର ହେବି। ସମସ୍ତଙ୍କୁ ନିରାପଦରେ ପ୍ରଥମେ ବାହାରକୁ ଯିବାର ସୁଯୋଗ ଦେବାର ଦାୟିତ୍ବ ମୋର’ ବୋଲି ନେଗୀ କହିଥିଲେ। ନେଗୀଙ୍କ ସାହସିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା କରିବା ସହ ଗତ ରାତିରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ।