ବିଦେଶୀ ଚାକିରି, ଆଇଆଇଏମ ଛାଡି ସେନାରେ ଯୋଗ ଦେଲେ ହାଇଦ୍ରାବାଦର ଏହି ଯୁବକ

ଡେରାଡୁନ : ହାଇଦ୍ରାବାଦର ଏକ ସିମେଣ୍ଟ କାରଖାନାରେ ଦିନକୁ ମାତ୍ର ୧୦୦ ଟଙ୍କା ମଜୁରୀରେ କାମ କରୁଥିବା ଦିନମଜୁରିଆ ବର୍ନାନା ଗୁନୟାଙ୍କ ଆଖିରୁ ଆଜି ଲୁହ ଝରିବା ବନ୍ଦ ହେଉନାହିଁ । ତେବେ ସେ କୌଣସି ଦୁଃଖରେ ପଡି ଲୁହ ଝରାଉ ନାହାନ୍ତି, ଏହା ଆନନ୍ଦର ଅଶ୍ରୁ । କାରଣ ତାଙ୍କ ପୁଅ ବର୍ନାନା ୟେଦଗିରି ଆଜି ଭାରତୀୟ ମିଲିଟାରୀ ଏକାଡେମୀରେ ଜଣେ ଅଫିସର ଭାବେ ପାସିଙ୍ଗ୍‌ ଆଉଟ୍‌ ପ୍ୟାରେଡ୍‌ କଲେ ।

ଅତି ସରଳ ଜୀବନଯାପନ କରୁଥିବା ଗୁନୟା ଗତ କାଲି ପର୍ଯ୍ୟନ୍ତ ଜାଣି ନଥିଲେ ଯେ ତାଙ୍କ ପୁଅ ଭାରତୀୟ ସେନାରେ ଜଣେ ଅଫିସର ଭାବେ ସେବା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି । ତାଙ୍କ ପୁଅ ୟେଦଗିରି ଭାରତୀୟ ସେନାରେ ଯୋଗ ଦେବା ପୂର୍ବରୁ ହାଇଦ୍ରାବାଦସ୍ଥିତ ଟ୍ରିପଲ ଆଇଟିରୁ ପାଶ କରିବା ପରେ ଏକ ଆମେରିକୀୟ କମ୍ପାନିରେ ମୋଟା ଦରମାରେ ସଫ୍ଟଓ୍ଵାର ଇଂଜିନିୟରଭାବେ ଚାକିରି ପାଇଥିଲେ । କ୍ୟାଟ୍‌ ପରୀକ୍ଷାରେ ୯୩.୪ ପ୍ରତିଶତ ମାର୍କ ରଖି ଆଇଆଇଏମ ଇନ୍ଦୋରରେ ପଢିବାର ସୁଯୋଗ ମଧ୍ୟ ପାଇଥିଲେ । କିନ୍ତୁ ସେ ଏକ ବିଦେଶୀ କମ୍ପାନିରେ ମୋଟା ଦରମା ପାଇ ଆରାମରେ ରହିବା ଅପେକ୍ଷା ଦେଶମାତୃକାର ସେବା ପାଇଁ ଆଗେଇ ଆସିଲେ ଓ ଆଇଏମଏରେ ଯୋଗ ଦେବାକୁ ପସନ୍ଦ କଲେ ।

“ ମୋ ବାପା ଜଣେ ଅତି ସରଳ ଲୋକ । ସେ ଭାବୁଥିଲେ ଯେ ମୁଁ ଭଲ ଚାକିରି ଛାଡି ଜଣେ ସୈନିକ ହେବାକୁ ଯାଉଛି ବୋଲି । ଏଣୁ ସେ ମୁଁ ଭୁଲ କରୁଛି ବୋଲି ଭାବୁ ଥିଲେ ।  ଏବେ ସେ ମୋର ସଫଳତାରେ ବେଶ ଖୁସି ଅଛନ୍ତି” କହିଛନ୍ତି ୟେଦଗିରି ।

ସମ୍ବନ୍ଧିତ ଖବର