ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଶେଷ, ସରକାରୀ ସୂଚନାକୁ ଅପେକ୍ଷା

ଲେହ : ସୀମା ବିବାଦର ସମାଧାନ ଲାଗି ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ମିଲିଟାରୀ ସ୍ତରୀୟ କଥାବାର୍ତ୍ତା ଶେଷ ହୋଇଛି । ଏହି ଆଲୋଚନାର ଫଳାଫଳ ସମ୍ପର୍କରେ ଭାରତୀୟ ସେନାର ପ୍ରତିନିଧିମଣ୍ଡଳ ସେନା ମୁଖ୍ୟ ଜେନେରାଲ ଏନଏନ ନାରାୱାଣେଙ୍କୁ ଜଣାଇବେ । ଏହା ପରେ ସେନା ମୁଖ୍ୟ ଏ ସଂପର୍କିତ ସୂଚନା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟକୁ ପ୍ରଦାନ କରିବେ ।

ଲଦାଖକୁ ଲାଗିଥିବା ଚୀନ ଅଧିକ୍‌ତ ତିବ୍ବତର ମୋଲଡୋଠାରେ ଦୁଇ ପକ୍ଷ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଭାରତ ତରଫରୁ ୧୪ କର୍ପସର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ତିବ୍ବତ ମିଲିଟାରୀ ଡିଷ୍ଟ୍ରିକ୍ଟର କମାଣ୍ଡର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଗତ ମେ ମାସଠାରୁ ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛି । ଏହି ବିବାଦର ସମାଧାନ ଲାଗି ସ୍ଥାନୀୟ କମାଣ୍ଡର ସ୍ତରରେ ୧୨ ଥର ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଉଚ୍ଚ କମାଣ୍ଡର ସ୍ତରରେ ଆଜିର ବୈଠକ ହେଉଛି ପ୍ରଥମ ବୈଠକ । ଏହା ଉପରେ ହିଁ ସମଗ୍ର ବିଶ୍ବର ନଜର ରହିଛି ।

ଗୋଟିଏ ପଟେ ମିଲିଟାରୀ ସ୍ତରୀୟ କଥାବାର୍ତ୍ତା ଚାଲିଥିବାବେଳେ ସେପଟେ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ମଧ୍ୟ ଚାଲିଛି । କିନ୍ତୁ ଚୀନ ନିଜ ଜିଦରେ ଅଟଳ ଥିବାରୁ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି । ଏହା ଫଳରେ ଦୁଇ ଦେଶ ସୀମାରେ ନିଜ ନିଜର ଶକ୍ତି ବଢାଇଚାଲିଛନ୍ତି ।

 

ସମ୍ବନ୍ଧିତ ଖବର