ଜେନେଭା: ସମ୍ପ୍ରତି ସାରା ବିଶ୍ବର ଚାହିଦାନୁଯାୟୀ କୋଭିଡ୍ ଟିକାର ଭୀଷଣ ଅଭାବ ଦେଖାଦେଇଥିବାରୁ ବିଭିନ୍ନ ଗରିବ ରାଷ୍ଟ୍ରକୁ କୋଭିଡ୍ ଟିକା ଯୋଗାଇଦେବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ’)ର କୋଭାକ୍ସ ଅଭିଯାନ ଆଗାମୀ ପ୍ରାୟ ଜୁନ୍ ଯାଏ ଠପ୍ ହୋଇଯାଇଛି। ଫଳରେ ବିଶ୍ବର ସବୁଠୁ ଗରିବ ରାଷ୍ଟ୍ର ସମେତ ୬୦ରୁ ଅଧିକ ଦେଶରେ ପ୍ରଥମ ମାତ୍ରା ଟିକାକରଣ ବି ସଂପନ୍ନ ନ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ୟୁନିସେଫ୍ର ତଥ୍ୟ ଅନୁଯାୟୀ, ଗତ ଦୁଇ ସପ୍ତାହ ଭିତରେ ବିକାଶଶୀଳ ଦେଶମାନଙ୍କରୁ ୯୨ଟି ଅନ୍ୟ ଦେଶକୁ ୨୦ ଲକ୍ଷରୁ କମ୍ କୋଭିଡ୍ ଟିକା ରପ୍ତାନି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସରିଛି। ଅପରପକ୍ଷେ, କେବଳ ବ୍ରିଟେନ୍ରେ ଏହି ସମୟ ଭିତରେ ସମାନ ସଂଖ୍ୟକ ଟିକା ଲୋକଙ୍କୁ ଦିଆସରିଛି। ସୁତରାଂ ବିଶ୍ବ ଟିକାକରଣରେ ଦେଖାଦେଇଥିବା ଏ ପ୍ରକାର ଅସନ୍ତୁଳନ ସାଂଘାତିକ ବୋଲି ହୁ’ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରେସସ୍ କ୍ଷୋଭ ପ୍ରକାଶ କରିଛନ୍ତି। ଧନୀ ରାଷ୍ଟ୍ରରେ ପ୍ରତି ୪ ଜଣରେ ଜଣେ ଟିକା ପାଉଥିବା ବେଳେ ଗରିବ ଦେଶରେ ପ୍ରତି ୫୦୦ ଲୋକଙ୍କ ଭିତରେ ଜଣକୁ ଟିକା ମିଳିବା ଶୋଚନୀୟ ବିଷୟ ବୋଲି ସେ କହିଛନ୍ତି।
ସୂଚନାନୁଯାୟୀ, ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ଆଷ୍ଟ୍ରାଜେନେକା(କୋଭିସିଲ୍ଡ) ଟିକା ରପ୍ତାନିକୁ ଭାରତ ବନ୍ଦ କରିଦେବା ପରେ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି। କାରଣ ବିଶ୍ବ ଚାହିଦାର ଏକ ତୃତୀୟାଂଶ ଟିକା ସିରମ୍ ପ୍ରସ୍ତୁତ କରି ଯୋଗାଇବ ବୋଲି ହୁ’ ଆଶା ରଖିଥିଲା। ବର୍ତ୍ତମାନ ଅନେକ ରାଷ୍ଟ୍ରରେ ପ୍ରଥମ ମାତ୍ରା ଦେବା ପାଇଁ ଟିକା ପହଞ୍ଚିପାରିନି, ଅପରପକ୍ଷେ, କିଛି ରାଷ୍ଟ୍ର ମଧ୍ୟ ଦ୍ବିତୀୟ ମାତ୍ରା ଦେବା ପାଇଁ ଘୋଷଣା କରିପାରୁନାହାନ୍ତି। ଫଳରେ ପ୍ରଥମ ମାତ୍ରା ନେଇସାରି ଅନେକ ଅନିଶ୍ଚିତତା ଭିତରେ ରହିଛନ୍ତି। କାରଣ ଗୋଟିଏ ମାତ୍ରା ନେଇ ଅଟକିଗଲେ ସେମାନଙ୍କ ରୋଗପ୍ରତିରୋଧକତା ପ୍ରଣାଳୀ ଆହୁରି ଦୁର୍ବଳ ହୋଇଯିବା ଆଶଙ୍କା ରହିଛି। ଅପରପକ୍ଷେ, ଏହି ଟିକା ଅଭାବ ଦୂରୀକରଣ ପାଇଁ ହୁ’ ଚୀନ୍ ପ୍ରସ୍ତୁତ ସିନୋଫାର୍ମ ଓ ସିନୋଭାକ୍ ଟିକା ଏବଂ ରୁଷିଆ ପ୍ରସ୍ତୁତ ସ୍ପୁଟନିକ୍-ଭି ଟିକା ଆମଦାନି ଉପରେ ବିଚାର କରୁଛି। ମାତ୍ର ୟୁରୋପ ଓ ଉତ୍ତର ଆମେରିକାରେ ସେହି ଟିକାଗୁଡ଼ିକୁ ଆବଶ୍ୟକ ଅନୁମତି ମିଳିନାହିଁ। ଅପରପକ୍ଷେ, କୋଭାକ୍ସ ଅଧୀନରେ ହୁ’ ପାଖରେ ଏବେ ବିଭିନ୍ନ ରାଷ୍ଟ୍ର ଅନୁଦାନ ଯୋଗାଇଥିବା କୋଟି କୋଟି ଡଲାର ଗଚ୍ଛିତ ରହିଛି। ମାତ୍ର କିଣିବାକୁ ଟିକା ନାହିଁ କି କୌଣସି ରାଷ୍ଟ୍ର ନିଜ ପାଖରେ ଗଚ୍ଛିତ ଥିବା ବଳକା ଟିକା ଅନ୍ୟକୁ ଯୋଗାଇଦେବାକୁ ଆଗ୍ରହୀ ନୁହେଁ।