ମୁମ୍ବାଇ : ଭାରତରେ କୋଭିଡ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ ଆଜି ଝଟ୍କା ଲାଗିଛି। ଟିକା ଅଭାବ ଯୋଗୁଁ ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ହରିୟାଣା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ବେଳେ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ଲକ୍ଷ ଲୋକ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୨.୮ ଲକ୍ଷ ଲୋକ ଦ୍ବିତୀୟ ଡୋଜ ନେଇଛନ୍ତି। ୭ ଏପ୍ରିଲ୍ରେ ୩୩ ଲକ୍ଷ ଲୋକ ଟିକା ନେଇଥିବା ବେଳେ ୮ ଏପ୍ରିଲ୍ରେ ଏହା ୨୯ ଲକ୍ଷକୁ ଖସିବା ଚିନ୍ତାର କାରଣ ହୋଇଛି। ଏବେ ଟିକା ଅଭାବ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରରେ ଟିକା ୩ ଦିନରେ ସରିଯିବ ଏବଂ ଟିକା ଅଭାବରୁ ବିଭିନ୍ନ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି, କୌଣସି ବି ରାଜ୍ୟରେ ଟିକା ଅଭାବ ନାହିଁ । ଟିକା ଅଭାବକୁ ନେଇ ଯେଉଁ ଭୟ ସୃଷ୍ଟି କରାଯାଉଛି ତାହା ନିନ୍ଦନୀୟ।
ସରକାର ଆଜି ମହାରାଷ୍ଟ୍ରକୁ ଆଉ ୧୭ ଲକ୍ଷ ଡୋଜ୍ ଟିକା ପଠାଇଛନ୍ତି। କିନ୍ତୁ ଟୋପେ କହିଛନ୍ତି, ମହାରାଷ୍ଟ୍ରର ଆବଶ୍ୟକତାଠାରୁ ଏହା ବହୁତ କମ୍। ମହାରାଷ୍ଟ୍ରରେ ସପ୍ତାହକୁ ୪୦ ଲକ୍ଷ ଡୋଜ୍ ଟିକା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ମହାରାଷ୍ଟ୍ରରେ ୨୩ ଲକ୍ଷ ଡୋଜ୍ ଅଛି। ଏହା ୫ ଦିନ ପାଇଁ ଯୋଗାଣ ହୋଇଛି। ପ୍ରତି ରାଜ୍ୟରେ ୩-୪ ଦିନ ପାଇଁ ଷ୍ଟକ୍ ରହୁଛି। ଟିକାକରଣ କାର୍ଯ୍ୟକ୍ରମକୁ ଠିକ୍ରେ ସଂଚାଳନ କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ୫ ଲକ୍ଷ ଡୋଜ୍ ନଷ୍ଟ ହୋଇଯାଇଛି ବୋଲି ଜାଭଡ଼େକର କହିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ଟିକା ଯୋଗାଣରେ ସମସ୍ୟା ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ଟିକା ଅଭାବ ଦର୍ଶାଇ ତମ୍ବିତୋଫାନ କରିଥିବାରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାଳମେଳ ଅଭାବ ସାମ୍ନାକୁ ଆସିଛି।
ମହାରାଷ୍ଟ୍ର ସରକାର କହିଛନ୍ତି, କେନ୍ଦ୍ର ସରକାର ଟିକା ଯୋଗାଣ କ୍ଷେତ୍ରରେ ପକ୍ଷପାତ କରୁଛନ୍ତି। ସରକାର ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶକୁ ଅଧିକ ଡୋଜ୍ ଦେଉଥିବା ବେଳେ ମହାରାଷ୍ଟ୍ରକୁ କମ୍ ଡୋଜ୍ ଦେଉଛନ୍ତି। ମହାରାଷ୍ଟ୍ର ତୁଳନାରେ ଗୁଜରାଟରେ ଜନସଂଖ୍ୟା କମ୍। କିନ୍ତୁ ଗୁଜରାଟକୁ ଅଧିକ ଡୋଜ୍ ଦିଆଯାଉଛି। ଟିକା ଅଭାବରୁ ମୁମ୍ବାଇରେ ୨୬ଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଏଥିପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ଟିକା ଅଭାବରୁ ଉତ୍ତରପ୍ରଦେଶର ଗାଜିଆବାଦ୍ରେ ବିଭିନ୍ନ ଘରୋଇ ହସ୍ପିଟାଲ୍ଗୁଡ଼ିକରେ ଲୋକଙ୍କୁ ଟିକା ଦେବା ବନ୍ଦ ହୋଇଛି। ଝାଡ଼ଖଣ୍ଡରେ ମଧ୍ୟ ଟିକା ଅଭାବ ଯୋଗୁଁ ଟିକାକରଣ କାର୍ଯ୍ୟକ୍ରମ ମନ୍ଥର ହୋଇଛି। ରାଜ୍ୟକୁ ଆଉ ୧.୬୦ କୋଟି ଟିକା ଆବଶ୍ୟକ ବୋଲି କୁହାଯାଇଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି। ରାଜ୍ୟରେ ଗୁରୁବାର ସୁଦ୍ଧା ମାତ୍ର ୩ ଲକ୍ଷ ଟିକା ଡୋଜ୍ ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡିଙ୍କୁ ଜଣାଯାଇଛି।