ଲଦାଖ ସଂଘର୍ଷ: ବାସ୍ତବ ନିୟନ୍ତ୍ରଣ ରେଖାଠାରେ ମୁତୟନ ହୋଇଥିବା ଯବାନଙ୍କୁ ମିଳିବ ଶରୀର ସୁରକ୍ଷାକାରୀ ସୁଟ୍ ଏବଂ ଲାଠି

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ମୁତୟନ ହୋଇଥିବା ଯବାନମାନଙ୍କୁ ଶରୀର ସୁରକ୍ଷାକାରୀ ପୋଷାକ ଏବଂ ସ୍ବତନ୍ତ୍ର ଭାବେ ନିର୍ମିତ ଲାଠି ଯୋଗାଇ ଦେବାକୁ ଭାରତୀୟ ସେନାବାହିନୀ ବରାଦ ଦେଇଥିବା କଥା ପ୍ରତିରକ୍ଷା ବିଭାଗର ଦୁଇ ଅଧିକାରୀ ଶୁକ୍ରବାର ପ୍ରକାଶ କରିଛନ୍ତି।

ଚୀନ୍ ସୈନିକମାନେ ପଥର, ଲୁହାଛଡ଼ ଏବଂ କଣ୍ଟାପିଟା ଠେଙ୍ଗା ବ୍ୟବହାର କରି ଭାରତୀୟ ଯବାନଙ୍କୁ ସାଙ୍ଘାତିକ ଆହତ କରି ପକାଉଛନ୍ତି। ଗଲ୍‌ୱାନ୍‌ ଉପତ୍ୟକା ଅଞ୍ଚଳରେ ସୋମବାର ରାତିରେ ସେମାନେ ସାତଘଣ୍ଟା କାଳ ସଙ୍ଘର୍ଷ କରି କୋଡ଼ିଏ ଜଣ ଭାରତୀୟ ସୈନିକଙ୍କ ପ୍ରାଣ ନେବା ସହ ଅନ୍ୟ  ଅଠରଜଣଙ୍କୁ ଆହତ କରିଥିଲେ।

Image Courtesy of The Times of India

ହାଲ୍‌କା ହେଲ୍‌ମେଟ୍ ଥିବା ଏହି ବଡି ପ୍ରୋଟେକ୍ସନ୍ ସୁଟ୍ ନିମନ୍ତେ ଗତ ମାସରେ ମୁମ୍ବାଇର ଏକ କମ୍ପାନିକୁ ବରାଦ ଦିଆଯାଇଛି। ମେ ୫ ଓ ୬ ତାରିଖ ଦିନ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପଟ କୂଳରେ ଚୀନ୍ ସୈନିକମାନଙ୍କ ସହ ଧସ୍ତାଧସ୍ତି ହୋଇ ଜଣେ କର୍ଣ୍ଣେଲ୍‌ଙ୍କ ସମେତ ଅନେକ ଭାରତୀୟ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ପରେ ଏ ଭଳି ପୋଷାକ ପାଇଁ ସମ୍ପୃକ୍ତ କମ୍ପାନିକୁ ବରାଦ ଦିଆଯାଥିବା କଥା ଦୁଇ ସରକାରୀ ଅଧିକାରୀ କହିଛନ୍ତି।

ବାସ୍ତବ ନିୟନ୍ତ୍ରଣ ରେଖାଠାରେ ଥିବା ଯବାନମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଖୁବ୍‌ ଶୀଘ୍ର ୫୦୦ ସେଟ୍ ଶରୀର ସୁରକ୍ଷା ପ୍ରଦାନକାରୀ ସୁଟ୍ ପ୍ରଦାନ କରାଯିବ। ସମୁଦାୟ ୨୦୦୦ ସେଟ୍ ପୋଷାକ ଏବଂ ବାଡ଼ି ପାଇଁ ସେନା ବରାଦ ଦେଇଛି ବୋଲି ଦ୍ବିତୀୟ ସରକାରୀ ଅଧିକାରୀଜଣକ କହିଛନ୍ତି।

 

ସମ୍ବନ୍ଧିତ ଖବର