ଲେହ: ଲଦାଖକୁ ରାଜ୍ୟ ମାନ୍ୟତା ଦେବା ସହ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦାବିରେ ବିଶାଳ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଦାବିନେଇ ଗତକାଲି ଲଦାଖ ବନ୍ଦ ଥିବା ବେଳେ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ ଏବଂ ଲେହ ଓ କାର୍ଗିଲ ପାଇଁ ଭିନ୍ନ ସଂସଦୀୟ ଆସନ ଦାବି ନେଇ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଛି । ଗତକାଲି ଲଦାଖର ଲେହ ଜିଲ୍ଲାରେ ବିଶାଳ ପ୍ରତିବାଦ ରାଲି ଦେଖିବାକୁ ମିଳିଥିବା ବେଳେ କେନ୍ଦ୍ର ସରକାର ଆନ୍ଦୋଳନକାରୀ ନେତାଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

Advertisment

ଲେହ ଆପେକ୍ସ ବଡି (ଲାବ୍) ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (କେଡିଏ) ପକ୍ଷରୁ ଜାନୁଆରି ୨୩ତାରିଖରେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀ ଅଧୀନରେ ମାନ୍ୟତା ଦାବି କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତେବେ ଏ ନେଇ ତୁରନ୍ତ କୌଣସି ପ୍ରତିଶ୍ରୁତି ନମିଳିବାରୁ ଉଭୟ ସଂଗଠନ ଏବେ ଆନ୍ଦୋଳନର ରାସ୍ତା ଧରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଲଦାଖକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରତିନିଧିମାନେ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ରେ ସଂଶୋଧନ ପାଇଁ ଏକ ଚିଠା ମଧ୍ୟ ଦାଖଲ କରିଛନ୍ତି। ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସର ଆଇନ ପରାମର୍ଶଦାତା ହାଜି ଗୁଲାମ ମୁସ୍ତାଫା ଏଏନ୍‌ଆଇକୁ କହିଛନ୍ତି, ଲଦାଖକୁ ରାଜ୍ୟ ମାନ୍ୟତା ଦେବା ପାଇଁ ଅତି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯାଇଛି ଏବଂ କେନ୍ଦ୍ର ସରକାର ଏ ନେଇ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ନେବେ ବୋଲି ସେ ଆଶା କରୁଛନ୍ତି। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରେ ପରିଣତ ହେବା ପରଠାରୁ ଏହାର ଶକ୍ତି ହ୍ରାସ ପାଇଛି ଏବଂ ଏହା ଲୋକଙ୍କ କଲ୍ୟାଣ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ଯେତେବେଳେ ଏହା ଜମ୍ମୁ-କଶ୍ମୀରର ଅଂଶ ଥିଲା ସେତେବେଳେ ବିଧାନସଭାରେ ଆମର ୪ ଜଣ ଏବଂ ବିଧାନ ପରିଷଦରେ ୨ ଜଣ ସଦସ୍ୟ ଥିଲେ। ଏବେ ବିଧାନସଭାରେ ଆମର କୌଣସି ପ୍ରତିନିଧିତ୍ୱ ନାହିଁ ବୋଲି ସେ କହିଛନ୍ତି।