ଉଗ୍ରରୂପ ନେଉଛି ଲଦାଖ ଉତ୍ତେଜନା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଚୁସୁଲ ଇଲାକାରେ ସୀମାକୁ କେନ୍ଦ୍ର କରି ଭାରତ-ଚୀନ୍‌ ମଧ୍ୟରେ ସୃଷ୍ଟ ସଦ୍ୟ ଉତ୍ତେଜନା ଧୀରେ ଧୀରେ ଉଗ୍ରରୂପ ନେଉଥିବା ଜଣାଯାଇଛି। ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ଶନିବାର ରାତିରେ ଅତିକ୍ରମଣ କରୁଥିବା ବେଳେ ଭାରତୀୟ ଯବାନମାନଙ୍କ ଦ୍ବାରା ତଡ଼ା ଖାଇ ଚୀନ ସେନା ଏବେ ପୂରା ଦମ୍‌ରେ ଆକ୍ରମଣ ମୁଦ୍ରାରେ ନିଜକୁ ସଜ୍ଜିତ କରି ରଖିଛି। ବିଭିନ୍ନ ପ୍ରକାର ଭାରୀ ଯୁଦ୍ଧାସ୍ତ୍ର ସହ ଚୀନ ସେନା ଯେ କୌଣସି ମୁହୂର୍ତ୍ତରେ ବି ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି କରିଥିବା ବେଳେ ପ୍ରତିପକ୍ଷ ଭାରତୀୟ ଯବାନମାନଙ୍କୁ ମଧ୍ୟ ଅନୁରୂପ ଆକ୍ରମଣାତ୍ମକ ହେବା ପାଇଁ ବାଧ୍ୟ କରିଛି। ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳ ସମେତ ଚୁସୁଲ ଉପତ୍ୟକାର ଦକ୍ଷିଣ ପୂର୍ବ ଇଲାକାରେ ଥିବା ଲେଜାଙ୍ଗ ଲା ଗିରିପଥରେ ମଧ୍ୟ ଭାରତୀୟ ଯବାନମାନେ ପ୍ରତିପକ୍ଷର କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ସମ୍ପ୍ରତି ଉଭୟ ପକ୍ଷର ସୈନିକମାନେ ପରସ୍ପରକୁ ମାତ୍‌ ଦେଲା ଭଳି ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ସହ ସମୟକୁ ଅପେକ୍ଷା କରି ରହିଛନ୍ତି। ଅପରପକ୍ଷେ, ଲଦାଖର ୧,୫୯୭ କିମି ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନା କୌଣସି ପ୍ରକାର ଅତିକ୍ରମଣକୁ ପଣ୍ଡ କରିବା ଲାଗି ମଧ୍ୟ ଭାରତୀୟ ଯବାନମାନେ ନିଜର ଶକ୍ତି ସାମର୍ଥ୍ୟକୁ ପୂର୍ବାପେକ୍ଷା ଯଥେଷ୍ଟ ଗୁଣ ବଢ଼ାଇ ଦେଇଛନ୍ତି।

ଅପରପକ୍ଷେ, ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳ ନିକଟ ଉଚ୍ଚତମ ପାର୍ବତ୍ୟ ଅଞ୍ଚଳରେ ଭାରତୀୟ ସେନା ନିଜର ସ୍ଥିତି ସୁଦୃଢ଼ କରି ରଖିଛି। ଫଳରେ ଏହି ସୁବିଧାଜନକ ଉଚ୍ଚ ଜାଗାରେ ନିଜକୁ ଆବିଷ୍କାର କରିବା ଲାଗି ଚୀନ ସେନା କରିଥିବା ଉଦ୍ୟମ ଫସର ଫାଟିଯାଇଛି। ଉଚ୍ଚରେ ରହି ଚୀନ ସେନାର ଯାବତୀୟ ଗତିବିଧିକୁ ଭାରତୀୟ ସେନା ଠଉରେଇ ପାରୁଛି। ତେବେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ଆକ୍ରମଣଶୀଳ ଆଭିମୁଖ୍ୟ ପରିସ୍ଥିତିକୁ ଆହୁରି ଗମ୍ଭୀର କରିବାର ଆଶଙ୍କା ବଢ଼ାଇ ଦେଇଛି। ଭାରତୀୟ ଯବାନମାନଙ୍କୁ ସେଠାରୁ ଯେନତେନ ପ୍ରକାରେ ହଟାଇବା ପାଇଁ ଜିନ୍‌ ପିଙ୍ଗ୍‌ଙ୍କ ନିର୍ଦ୍ଦେଶ ରହିଥିବାରୁ ସାମ୍ପ୍ରତିକ ଉତ୍ତେଜନା ଆଗକୁ କିଭଳି ଉଗ୍ରରୂପ ନେବ, ତାହା ଅକଳ୍ପନୀୟ ବୋଲି ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି। ଚୀନ୍‌ର ଏଭଳି ଆକ୍ରମଣାତ୍ମକ ଅଭିଯାନ ଆସନ୍ତା ନଭେମ୍ବର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯାଏ ଜାରି ରହିବ ବୋଲି ସାମରିକ ବିଶେଷଜ୍ଞମାନଙ୍କ ମତ। କାରଣ ଭାରତକୁ ସମର୍ଥନ କରୁଥିବା ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶ ଚୀନ୍‌ ବିରୋଧରେ ସିଧାସଳଖ ଛିଡ଼ା ହେବା ପାଇଁ ଆଗ୍ରହୀ ନୁହେଁ। ଅପରପକ୍ଷେ, ଆମେରିକା ଏବେ ମାପିଚୁପି କାର୍ଯ୍ୟାନୁଷ୍ଠାନ ନେବାକୁ ପସନ୍ଦ କରୁଛି।

ସମ୍ବନ୍ଧିତ ଖବର