ରାତିରେ ପାହାଡ଼ିଆ ରାସ୍ତାରେ ୮ ଘଣ୍ଟା ଅଟୋରିକ୍ସା ଚଳାଇ ନର୍ସଙ୍କୁ ଘରେ ଛାଡ଼ିଥିବା ଅଟୋଚାଳିକାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କଲେ ମଣିପୁର ମୁଖ୍ୟମନ୍ତ୍ରୀ

ଗୌହାଟି: କୋଭିଡ୍-୧୯ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଜଣେ ନର୍ସଙ୍କୁ ସ୍ବେଚ୍ଛାକୃତ ଭାବେ ଇମ୍ଫାଲ୍‌ରୁ ନେଇ ମିଆଁମାର୍ ସୀମାନ୍ତକୁ ଲାଗିଥିବା କାମଗଞ୍ଜ ଜିଲ୍ଲା ଅନ୍ତର୍ଗତ ତାଙ୍କ ଘରେ ଛାଡ଼ି ଆସିଥିବା ମଣିପୁରର ଏକମାତ୍ର ଅଟୋରିକ୍ସା ଚାଳିକା ଲାଇବି ଓଇନାମ୍ ପୁରସ୍କୃତ ହୋଇଛନ୍ତି।

ଲାଇବି କହିଛନ୍ତି, କେବଳ ଟଙ୍କା ନୁହେଁ, ମନରେ ଉଦ୍ରେକ ହୋଇଥିବା ସମବେଦନା ଯୋଗୁଁ ରାତିରେ ପାହାଡ଼ଘେରା ରାସ୍ତାରେ ଏତେ ଦୂର ଅଟୋ ଚଳାଇ ସେ ନର୍ସଙ୍କୁ ତାଙ୍କ ଘରେ ପହଞ୍ଚାଇଥିଲେ।

ଟିଏଚ୍ ଚନ୍ଦ୍ରକୁମାର ସିଂହ ନାମକ ଜଣେ ସ୍ଥାନୀୟ ଅଧିବାସୀ କହନ୍ତି, କୌଣସି କ୍ୟାବ୍ ଡ୍ରାଇଭର୍ ସେବା ଯୋଗାଇବାକୁ ଅନିଚ୍ଛା ପ୍ରକାଶ କରିବାରୁ ଲାଇବି ଓଇନାମ୍ ସେ ନର୍ସଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଥିଲେ।

ସୋମିଚୋନ୍ ନାମ୍ନା ସେ ନର୍ସଜଣକ ନିଜର କାର୍ଯ୍ୟସ୍ଥଳୀ କୋଲକାତାରୁ ଫେରିବା ପରେ କୋଭିଡ୍-୧୯ ସଂକ୍ରମଣ ବୋଲି ଜଣାପଡ଼ିଥିଲା। ଇମ୍ଫାଲ୍‌ର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଇ ମେ ୩୧ ତାରିଖ ଦିନ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ, ଟ୍ୟାକ୍ସି ଡ୍ରାଇଭର୍‌ମାନେ ତାଙ୍କୁ ନେବାକୁ ଅନିଚ୍ଛୁକ ଥିଲେ।

ସିଂହ କହନ୍ତି, ଇମ୍ଫାଲ୍ ଅଞ୍ଚଳର ନଗରମ ନିକଟରେ ଗୋଟାଏ ଆମ୍ବୁଲାନ୍‌ସ୍ ଓହ୍ଲାଇ ଦେଇ ଚାଲିଯିବା ପରେ ନର୍ସଙ୍କ ବୁଦ୍ଧିବଣା ହୋଇଯାଇଥିଲା। ଲାଇବି ଓଇନାମ୍ ମଧୁମେହରେ ଆକ୍ରାନ୍ତ ତାଙ୍କ ସ୍ବାମୀ ଓଇନାମ ରାଜେନ୍ଦ୍ର ସିଂହଙ୍କୁ ଫୋନ୍‌କରି ସେ ନର୍ସଙ୍‌କ ଦୁର୍ଦ୍ଦଶା କଥା ଆଲୋଚନା କଲେ। ଦୁହେଁ ତାଙ୍କୁ ନେଇ ତାଙ୍କ ଘରେ ଛାଡ଼ି ଆସିବେ ବୋଲି ନିଷ୍ପତ୍ତି ଗ୍ରହଣ କଲେ।

Image Courtesy of India.com

ସନ୍ଧ୍ୟା ୬ଟାରେ ସେମାନେ ଯାତ୍ରା ଆରମ୍ଭ କରି ରାତି ପ୍ରାୟ ୨: ୩୦ ସମୟରେ ୧୭୦ କିଲୋମିଟର୍ ଦୂରସ୍ଥ କାମଗଞ୍ଜ ସହରରେ ପହଞ୍ଚିଥିଲେ। ଏହା ପରେ ନର୍ସଙ୍କର ଜଣେ ଦାଦା ସେଠାରୁ ତାଙ୍କୁ କାର୍‌ରେ ବସାଇ ନେଇ ତାଙ୍କ ଗାଁରେ ଛାଡ଼ିଥିଲେ। ଏବେ ସୋମିଚୋନ୍ ତାଙ୍କ ଗାଁରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ରହୁଛନ୍ତି।

ସୋମିଚୋନ୍ କହନ୍ତି, ଲାଇବି ଓଇନାମ୍‌ ରାସ୍ତା ଚିହ୍ନି ନ ଥିବାରୁ ବାଟଯାକ ସେ ତାଙ୍କର ପଥପ୍ରଦର୍ଶକ ସାଜିଥିଲେ। ପାହାଡ଼ିଆ ରାସ୍ତାରେ ଅଟୋରିକ୍ସା ଚଳାଇବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଲାଇବି ଭଲ ଭାବେ ଚଳାଇଥିଲେ। ସେ ରାସ୍ତାରେ ନୂଆ କରି ଗାଡ଼ି ଚଳାଉଥିଲେ ବି ସେ ଭୟଭୀତ ହୋଇ ନ ଥିଲେ। ତାଙ୍କୁ ପାର୍ବତ୍ୟ ଅଞ୍ଚଳର ଏକ ଏନ୍‌ଜିଓ ଶ୍ରଦ୍ଧାରେ ୫୦୦୦ ଟଙ୍କା ପ୍ରଦାନ କରିଥିବା କଥା ମୁଁ ଶୁଣିଛି।

ଗୁରୁବାର ଦିନ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଲାଇବିଙ୍କୁ ନଗଦ ୧. ୧ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି। ଏହା ବ୍ୟତିରେକେ, ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ପାଙ୍ଗେଇର ଅଟୋ ଚାଳିକା ଶ୍ରୀମତୀ ଲାଇବି ଓଇନାମ୍ କଷ୍ଟସ୍ବୀକାର କରି ‘ଜେଏନ୍‌ଆଇଏମ୍‌ଏସ୍‌’ରୁ ଡିସ୍‌ଚାର୍ଜ ହୋଇଥିବା ଝିଅକୁ ମେ ୩୧ ତାରିଖ ମଧ୍ୟରାତ୍ରୀରେ ୮ ଘଣ୍ଟାର ଯାତ୍ରା କରି କାମଗଞ୍ଜରେ ପହଞ୍ଚାଇ ଥିଲେ। ବାସ୍ତବରେ, ସେ କଠିନ ଶ୍ରମ ଓ ନିସ୍ବାର୍ଥ ସେବାର ଦୃଷ୍ଟାନ୍ତ ଦେଇଛନ୍ତି।

ମଣିପୁରର କେତେକ ଉଦ୍ୟୋଗୀଙ୍କ ବ୍ୟତୀତ ଏହି ଅର୍ଥ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, କାନାଡା ଓ ସିଙ୍ଗାପୁରରେ ଥିବା ମଣିପୁରୀ ବ‌ଂଶୋଦ୍ଭବମାନେ ଉପହାର ଦେଇଥିଲେ। ବୁପେନ୍ଦା ମେଇତି ନାମକ ଜଣେ ଶିକ୍ଷାବିତ୍ ମଧ୍ୟ ଲାଇବି ଓଇନାମ୍‌ଙ୍କୁ ପ୍ରଶଂସା କରିଛନ୍ତି।

ପରିବାର ଚଳାଉଥିବା ଲାଇବି ଓଇନାମ୍‌ଙ୍କର ଦୁଇଟି ପୁଅ କଲେଜରେ ଅଧ୍ୟୟନ କରୁଛନ୍ତି। ୨୦୧୫ରେ ‘ଅଟୋ ଡ୍ରାଇଭର୍‌’ ନାମକ ପ୍ରାମାଣିକ ଚଳଚ୍ଚିତ୍ର ତାଙ୍କ ଜୀବନ ଉପରେ ଆଧାରିତ। ମୀନା ଲଙ୍ଗଜାମଙ୍କ ନିର୍ଦେଶିତ ଏହି ପ୍ରାମାଣିକ ଚଳଚ୍ଚିତ୍ର କେତୋଟି ପୁରସ୍କାର ମଧ୍ୟ ପାଇଥିଲା।

ସମ୍ବନ୍ଧିତ ଖବର