ନୂଆଦିଲ୍ଲୀ: ଭାରତୀୟ ଲିପିଡ୍ ଆସୋସିଏସନ୍ (ଏଲ୍ଏଆଇ) ଭାରତୀୟମାନଙ୍କ ହୃଦ୍‌ରୋଗ ଉପରେ ନିଜର ସଂଶୋଧିତ ମ‌ାର୍ଗଦର୍ଶିକା ଜାରି କରିଛି। ନୂଆ ମ‌ାର୍ଗଦର୍ଶିକାରେ ହୃଦ୍‌ରୋଗ ବିପଦ ଆକଳନ ଏବଂ ଲିପିଡ୍ ପରିଚାଳନା ଉପରେ ନୂତନ ତଥ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ମ‌ାର୍ଗଦର୍ଶିକା ଅନୁଯାୟୀ ରୋଗୀଙ୍କୁ ବିଭିନ୍ନ ବିପଦ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି ବୋଲି ହୃଦ୍‌ରୋଗ ବିଶେଷଜ୍ଞ ତଥା ଏଲ୍‌ଏଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ରମଣ ପୁରୀ କହିଛନ୍ତି।
ମ‌ାର୍ଗଦର୍ଶିକାରେ କୁହାଯାଇଛି ଯେ, ମେଟାବୋଲିକ୍ ସିଣ୍ଡ୍ରୋମ ଏବଂ ଅଣ-ଆଲ୍‌କୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ (ଏନ୍‌ଏଏଫ୍‌ଏଲ୍‌ଡି) ଥିବା ବ୍ୟକ୍ତିମାନେ ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲ ସ୍ତର ୭୦ ମିଗ୍ରା/ଡିଏଲ୍‌ରୁ କମ୍ ରଖିବାକୁ ଲକ୍ଷ୍ୟ ରଖିବା ଉଚିତ।

Advertisment

କେବଳ ସେତିକି ନୁହେଁ, ସମସ୍ତ ଉପଲବ୍ଧ ଚିକିତ୍ସା ସତ୍ତ୍ୱେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଳ୍ପ ସଂଖ୍ୟକ ରୋଗୀଙ୍କ ପାଇଁ ‘ଏକ୍ସଟ୍ରିମ୍‌ ରିସ୍କ ଗ୍ରୁପ୍ କ୍ୟାଟେଗୋରି ସି’ ନାମରେ ଏକ ନୂତନ ଶ୍ରେଣୀ ପ୍ରଚଳନ କରାଯାଇଛି। ଏହି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲ ସ୍ତର ଆଦର୍ଶ ଭାବରେ ୧୦-୧୫ ମିଲିଗ୍ରାମ୍‌/ଡିଏଲ୍‌ ମଧ୍ୟରେ ରହିବା ଉଚିତ। ୫୫ ବର୍ଷରୁ କମ୍ ପୁରୁଷ ଏବଂ ୬୫ ବର୍ଷରୁ କମ୍ ମହିଳାଙ୍କଠାରେ ଉଚ୍ଚ କୋଲେଷ୍ଟ୍ରଲ କିମ୍ବା ଅକାଳ କରୋନାରି ହୃଦ୍‌ରୋଗର ପାରିବାରିକ ଇତିହାସ ଥିବା ବ୍ୟକ୍ତିଙ୍କ ପାଇଁ ୨୦ ବର୍ଷ ବୟସରୁ ନିୟମିତ ଲିପିଡ୍ ପ୍ରୋଫାଇଲ୍ ସ୍କ୍ରିନିଂ ଲାଗି ଏଲ୍‌ଏଆଇ ପରାମର୍ଶ ଦେଇଆସୁଛି। ନୂତନ ନିର୍ଦ୍ଦେଶାବଳିରେ ପ୍ରାରମ୍ଭିକ ସ୍କ୍ରିନିଂ ପାଇଁ ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷାରେ ଲିପୋପ୍ରୋଟିନ୍ (ଏ) ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି, କାରଣ ଏହା ୨୫ ପ୍ରତିଶତ ଭାରତୀୟଙ୍କ ମଧ୍ୟରେ ଅଧିକ ଦେଖାଯାଏ।