ପ୍ରଥମଥର ପାଇଁ ମଙ୍ଗଳରେ ହ୍ରଦର ସନ୍ଧାନ ମିଳିଲା, ଜୀବଜଗତ ଥିବାର ଆଶା ବଢିଲା

ଫ୍ଲୋରିଡା : ଆମର ପଡୋଶୀ ଗ୍ରହ ମଙ୍ଗଳରେ ପାଣି ଥିବାର ସମ୍ଭାବନା ବଢିଯାଇଛି । ନିକଟରେ ଏହି ଗ୍ରହରେ ଏକ ଭୂତଳ ହ୍ରଦ ଥିବାର ପ୍ରମାଣ ମିଳିଛି । ଇଟାଲୀ ଓ ଆମେରିକାର ଏକ ଅନ୍ତର୍ଜାତୀୟ ଗବେଷକଦଳ ଏ ସଂପର୍କରେ ବୁଧବାରଦିନ ପ୍ରକାଶ କରିଛନ୍ତି । ଏହି ଆବଷ୍କାର ସମ୍ପର୍କରେ ୟୁଏସ ଜର୍ନାଲ ଅନ ସାଇନ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ହ୍ରଦର ଲମ୍ବ ପ୍ରାୟ ୨୦ କିଲୋମିଟର ରହିଥିବା ଅନୁମାନ କରାଯାଉଛି । ଏହା ହେଉଛି ମଙ୍ଗଳରେ ଆବିଷ୍କାର କରାଯାଇଥିବା ବୃହତ୍ତମ ଜଳାଶୟ । ତେବେ ଏହି ହ୍ରଦଟି ବରଫ ଆବରଣର ୧.୫ କିଲୋମିଟର ତଳେ ରହିଛି ।

ମଙ୍ଗଳରେ ହ୍ରଦ ଆବିଷ୍କାର ହେବାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, କାରଣ ପୂର୍ବରୁ ମଙ୍ଗଳ ଅଳ୍ପ କିଛି ଜଳର ପ୍ରମାଣ ମିଳିଥିଲା । କିନ୍ତୁ ଏକ ହ୍ରଦ ଆବଷ୍କାର ହେବା ଦ୍ୱାରା ମଙ୍ଗଳରେ ଅତୀତରେ, ଏପରିକି ବର୍ତ୍ତମାନ ଜୀବନ ଥିବା ସମ୍ଭାବନା ବଢିଯିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ସିନବର୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲାନ ଡଫି । ମଙ୍ଗଳଗ୍ରହଟି ଏବେ ଥଣ୍ଡା ଓ ମରୁଭୂମି ପୂର୍ଣ୍ଣ ଥିବାବେଳେ ପ୍ରାୟ ୩୬୦ କୋଟି ବର୍ଷ ପୂର୍ବେ ଏହା ଉଷ୍ମ ଓ ଆର୍ଦ୍ର ଥିବା ଅନୁମାନ କରାଯାଏ ।

ସମ୍ବନ୍ଧିତ ଖବର