ଲଖିମ୍‌ପୁର ଖେରୀ ମାମଲା: ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ୨ଥର କହିଥିଲା ‘ଏସ୍‌ଆଇଟି’

ଲଖିମ୍‌ପୁର: ଲଖିମ୍‌ପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଥିବା ଜାମିନ ଖାରଜ କରିବା ଲାଗି ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଉତ୍ତର ପ୍ରଦେଶ ସରକାରଙ୍କୁ ୨ ଥର କହିଥିଲା ବୋଲି ସୁପ୍ରିମ୍‌ କୋର୍ଟ ନିଯୁକ୍ତ କମିଟି ଦାଖଲ କରିଥିବା ‘‌ଷ୍ଟାଟସ୍‌ ରିପୋର୍ଟ’ରେ ଉଲ୍ଲେଖ କରିଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅକ୍ଟୋବର ୩ ତାରିଖରେ ଘଟିଥିବା ଉକ୍ତ ଘଟଣାସ୍ଥଳରେ ଆଶିଷ ଥିବା କଥା ସତ୍ୟ ବୋଲି ମିଳିଥିବା ପ୍ରମାଣରୁ ଜଣାପଡୁଛି। ଏହାଛଡ଼ା, କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରାସ୍ତା ବଦଳାଇଥିବା କଥା ମଧ୍ୟ ଆଶିଷ ଜାଣିଥିଲେ।

ଲଖିମ୍‌ପୁର ଖେରୀ ହିଂସାକାଣ୍ଡ ମାମଲାର ତଦନ୍ତ କରୁଥିବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌’ ଟିମ୍‌ ସୁପାରିସ ସତ୍ତ୍ବେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଥିବା ଜାମିନ କାହିଁକି ଖାରଜ କରାଗଲା ନାହିଁ ବୋଲି ମାର୍ଚ ୩୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ପ୍ରଶାସନକୁ ପଚାରିଥିଲେ।

Image Courtesy of Oneindia

ସ୍ମରଣଯୋଗ୍ୟ, ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ୯ ତାରିଖ ଦିନ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରୀରେ କୃଷକମାନଙ୍କ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଜାମିନ ମଞ୍ଜୁର କରିବା ପରେ ଗିରଫ ହୋଇଥିବା ଆଶିଷ ମିଶ୍ରା ଜେଲ୍‌ରୁ ମୁକୁଳି ଥିଲେ। ଏଥିପାଇଁ ଆଶିଷ ମିଶ୍ରାଙ୍କ ଓକିଲ ଫେବ୍ରୁଆରି ୧୪ ତାରିଖ ଦିନ ୩ ଲକ୍ଷ ଲେଖାଏଁ ଟଙ୍କାର ୨ଟି ‘ବେଲ୍‌ ବଣ୍ଡ୍‌’ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର