ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର କ୍ଷୀରିରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ୟା ଜଳରେ ଭାସିଯାଉଥିବା ଜଣେ ବୃଦ୍ଧ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକାରୀ ଦଳ ଉଦ୍ଧାର କରି ନେଇଛନ୍ତି।
ସୂଚନାଯୋଗ୍ୟ, ବନବସା ବ୍ୟାରେଜରୁ ଛଡ଼ା ଯାଇଥିବା ଲକ୍ଷାଧିକ କ୍ୟୁସେକ ପାଣି ହେତୁ ସାରଦ ନଦୀରେ ବନ୍ୟା ଆସିଛି। ଏହି ବନ୍ୟା ପାଣିରେ ସମ୍ପୂର୍ଣ୍ଣନଗର ଥାନା ଅଞ୍ଚଳସ୍ଥ ମେଲ କଲୋନିରେ ରହୁଥିବା ପର୍ଶୁରାମ ଫସି ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ପର୍ଶୁରାମ ଉପସ୍ଥିତ ବୁଦ୍ଧି ଖଟାଇ ନିକଟରେ ଥିବା ଏକ ବିଶାଳଗଛକୁ ଜାବୁଡ଼ି ଧରିଥିଲେ। ୪ଘଣ୍ଟା ଏପରି ଗଛକୁ ଜାବୁଡ଼ି ଧରିବା ରହିବା ପରେ କିଛି ଗ୍ରାମବାସୀ ପର୍ଶୁରାମଙ୍କୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ଦେଖି ତୁରନ୍ତ ଲେଖପାଳ, ଜିଲ୍ଲାପାଳ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ଜିଲ୍ଲାପାଳ, ଲେଖପାଲ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପର୍ଶୁରାମଙ୍କୁ ବିପଦରୁ ଉଦ୍ଧାର କରିଥିଲେ।
ଉଦ୍ଧାର ହେବାପରେ ପର୍ଶୁରାମ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇ କହିଥିଲେ, ‘ଗଛ ଓ ଆପଣମାନଙ୍କ ପାଇଁ ମୁଁ ଆଜି ଦ୍ବିତୀୟ ଜନ୍ମ ପାଇଛି। ଗଛ ନଥିଲେ ମୁଁ ବନ୍ୟା ଜଳରେ ଭାସି ଯାଇ ଥାଆନ୍ତି। ଆଉ ଆପଣମାନେ ଉଦ୍ଧାର ନକରିଥିଲେ ମୁଁ ସେ ବିପଦରୁ ବାହାରକୁ ଆସି ପାରି ନଥାଆନ୍ତି।’