ହତ୍ୟା ଅଭିଯୁକ୍ତଙ୍କୁ ନୋଟିସ୍ ଦେଇ ଡକାଯାଉଛି କାହିଁକି?
ତଦନ୍ତରେ ଶିଥିଳତା ଭୁଲ୍ ବାର୍ତ୍ତା ଦେଉଛି
ନୂଆଦିଲ୍ଲୀ : ଲଖିମପୁର ଖେରି ହିଂସା ଘଟଣାରେ ଉତ୍ତରପ୍ରଦେଶ ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଷ୍ଟାଟସ୍ ରିପୋର୍ଟରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନାହାନ୍ତି। ହିଂସା ଘଟଣାରେ ତଦନ୍ତ ପାଇଁ ୟୁପି ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ। ମାମଲାର ଯେଉଁଭଳି ଭାବେ ପରିଚାଳନା ହେବା ଉଚିତ ଥିଲା ସେଭଳି ହୋଇନାହିଁ ଏବଂ ତଦନ୍ତରେ ଶିଥିଳତା ଭୁଲ୍ ବାର୍ତ୍ତା ଦେଉଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମାମଲାରେ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଗିରଫ ହୋଇନଥିବାରୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଅନ୍ୟ ଅଭିଯୁକ୍ତ ବିରୋଧରେ ଯଦି ଆଇପିସିର ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ ହୋଇଥାନ୍ତା ତେବେ କ’ଣ ଏଭଳି ପଦକ୍ଷେପ ଗ୍ରହଣ ହୋଇଥାନ୍ତା କି? ହତ୍ୟା ଅଭିଯୁକ୍ତଙ୍କୁ ନୋଟିସ୍ ଦେଇ କାହିଁକି ଡକା ଯାଉଛି। ଏହାଦ୍ବାରା ସମାଜକୁ କିଭଳି ବାର୍ତ୍ତା ଦିଆଯାଉଛି ବୋଲି କୋର୍ଟ ପଚାରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଅନ୍ୟ ଅଭିଯୁକ୍ତ ବିରୋଧରେ ଯେଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ଏହି ମାମଲାରେ ମଧ୍ୟ ଠିକ୍ ସେମିତି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ବୋଲି କୋର୍ଟ କହିଛନ୍ତି। ପୁଲିସ କ’ଣ ସିଧାସଳଖ ଯାଇ ଅଭିଯୁକ୍ତକୁ ଗିରଫ କରିବା ଉଚିତ ନଥିଲା କି ବୋଲି ପ୍ରଧାନ ବିଚାରପତି ଏନ୍ ଭି ରମଣା ପ୍ରଶ୍ନ କରିଛନ୍ତି। ତଦନ୍ତ ପ୍ରକ୍ରିୟା ନେଇ ଯାହା କୁହାଯାଉଛି, ଅସଲରେ ତାହା କାମରେ କିଛି ହୋଇନି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ ମଧ୍ୟ ସ୍ବୀକାର କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ବାରା ଯେଉଁ ପଦକ୍ଷେପ ଗ୍ରହଣ ହୋଇଛି ତାହା ସନ୍ତୋଷଜନକ ନୁହେଁ।
ହରିଶ ସାଲ୍ଭେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟଙ୍କୁ କହିଥିବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ମାମଲାର କେନ୍ଦ୍ରୀୟ ତଦନ୍ତ ଏକ ସମାଧାନ ନୁହେଁ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ ତାରିଖକୁ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ସରକାର ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ କୋର୍ଟ ସନ୍ତୁଷ୍ଟ ନାହାନ୍ତି। ରିପୋର୍ଟରେ ଉତ୍ତରପ୍ରଦେଶ ସରକାର ଲଖିମୁପର ଖେରି ହିଂସା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ହୋଇଛି ଏବଂ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଆନ୍ଦୋଳନରତ ଚାଷୀ ୪ ଜଣଙ୍କୁ ହତ୍ୟା କରିଥିବା ନେଇ ଅନ୍ୟ ଏକ ଏତଲା ରୁଜୁ ହୋଇଛି। ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ୪୫ ଲକ୍ଷ ଦିଆଯାଇଛି। କୋର୍ଟ କହିଛନ୍ତି, ଷ୍ଟାଟସ୍ ରିପୋର୍ଟକୁ ତନ୍ନ ତନ୍ନ କରି ଦେଖିଛୁ। ମାମଲାର ତଦନ୍ତ କରୁଥିବା ଏସ୍ଆଇଟିରେ ସ୍ଥାନୀୟ ପୁଲିସ ଅଫିସର, ଇନ୍ସପେକ୍ଟର, ଏସ୍ପି, ଡିଆଇଜି ଥିବାରୁ କୋର୍ଟ ଏହାକୁ ବିରୋଧ କରିଛନ୍ତି। ସେହିପରି ଜଣେ କୃଷକଙ୍କ ଦେହରେ ଗୁଳି ବାଜି ମୃତ୍ୟୁ ହୋଇଥିବା ଖବରକୁ କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ତେବେ ଏହାର ଉତ୍ତରରେ ସାଲ୍ଭେ କହିଥିଲେ, ପୋଷ୍ଟମର୍ଟମ ରିପୋର୍ଟରୁ ଗୁଳି ବାଜିନଥିବା ଜଣାପଡ଼ିଛି।