ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ଘଟଣାରେ ଏବେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫ ଦାବି ଜୋର ଧରିଛି। ବିକେୟୁ (ଭାରତୀୟ କିଷାନ ୟୁନିଅନ) ନେତା ରାକେଶ ଟିକାୟତ କହିଛନ୍ତି, ଯଦି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ନ ଦିଅନ୍ତି କିମ୍ବା ଗିରଫ ନହୁଅନ୍ତି ତେବେ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ। ମନ୍ତ୍ରୀ ଏବଂ ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆଗ୍ରାର ପୃଥକ୍‌ ଜେଲ୍‌ରେ ରଖାଯିବାକୁ ସେ ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହତ୍ୟା ଅଭିଯୁକ୍ତ ହୋଇଥିବାରୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ ବୋଲି ସେ କହିଛନ୍ତି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନେତାମାନେ ମନ୍ତ୍ରୀଙ୍କ ଗିରଫ ଦାବି ଜୋରଦାର କରିଥିବା ବେଳେ ବିଜେପି କହିଛି ଯେ ଏହି ମାମଲାରେ ପୁଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ନିଷ୍ପତ୍ତି ନେବେ।

Advertisment

ଲଖିମପୁର ହିଂସା ମାମଲାରେ ଆଜି ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ଏବଂ ତାଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତ ପଠାଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଲଖିମପୁର କ୍ରାଇମବ୍ରାଞ୍ଚ୍‌ ଅଫିସରେ ଜେରା କରାଯାଉଛି। ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ କହିଥିଲେ ଯେ, ବିନା ପ୍ରମାଣରେ କାହାକୁ ଦଣ୍ଡିତ କରାଯିବ ନାହିଁ। ପ୍ରମାଣ ଆଧାରରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଥିଲେ। ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରିବା ଓ ପ୍ରମାଣ ସଂଗ୍ରହ କରିବାରେ ଅହରହ ଲାଗିଛି। ଲଖିମପୁର ଖେରିରେ ଆଜି ଏସକେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚ‌ା) ଦ୍ବାରା ମୃତ କୃଷକଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଯୋଗ ଦେଇଥିଲେ। ଅନ୍ୟପକ୍ଷେ କଂଗ୍ରେସର ଏକ ପ୍ରତିନିଧି ଦଳ ଆସନ୍ତାକାଲି ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ସେମାନେ ଲଖିମପୁର ଖେରି ହିଂସା ଘଟଣା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ କରିବେ। କଂଗ୍ରେସର ଏହି ପ୍ରତିନିଧି ଦଳରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଏକେ ଆଣ୍ଟୋନି, ମଲିକାର୍ଜୁନ ଖାଡ଼ଗେ, କେସି ବେଣୁଗୋପାଳ, ଗୁଲାମ ନବି ଆଜାଦ ଏବଂ ଅଧିର ରଂଜନ ଚୌଧୁରୀ ଯୋଗ ଦେବେ।
ରାହୁଲ ଗାନ୍ଧି ଉକ୍ତ ପ୍ରତିନିଧି ଦଳର ନେତୃତ୍ବ
ନେବେ।

କଂଗ୍ରେସର ଦଳିତଙ୍କ ପ୍ରତି ଆଚରଣ ଲଜ୍ଜାଜନକ: ମାୟାବତୀ
ଲକ୍ଷ୍ନୌ: କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଦଳିତଙ୍କୁ ହତ୍ୟା କରାଯିବା ଘଟଣାରେ କଂଗ୍ରେସ ନିରବ ଥିବାରୁ ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ପ୍ରବଳ ବର୍ଷିଛନ୍ତି। ଏକାଧିକ ଟ୍ବିଟ୍‌ କରି ମାୟାବତୀ କହିଛନ୍ତି, କଂଗ୍ରେସ ଦଳ ଏବଂ ଏହାର ସରକାର ଦଳିତମାନଙ୍କ ସ୍ବାର୍ଥ ପ୍ରତି ଆଦୌ ଗୁରୁତ୍ବ ଦେଉନାହାନ୍ତି । ସେମାନଙ୍କ ଜୀବନ , ସମ୍ପତ୍ତି ଏବଂ ସୁରକ୍ଷା ପ୍ରତି କଂଗ୍ରେସର ଟିକିଏ ବି ଯତ୍ନ ନାହିଁ। ଏପରିକି ଦଳିତଙ୍କୁ ହତ୍ୟା କରିବା ପ୍ରସଙ୍ଗରେ ବି ଦଳୀୟ ନେତାମାନଙ୍କୁ କିଛି କହିବାପାଇଁ ସୁଯୋଗ ଦିଆଯାଉନି। କଂଗ୍ରେସ କେବଳ ନିରବ ରହିନାହିଁ ବରଂ ଏହା ଦଳିତ ନେତାଙ୍କ ବାକ୍‌ ସ୍ବାଧୀନତା ଉପରେ କଟକଣା‌ ଲଗାଇଛି। ଏହା ଲଜ୍ଜାଜନକ ବୋଲି ବିଏସ୍‌ପି ମୁଖ୍ୟ କହିଛନ୍ତି। ମାୟାବତୀ ମଧ୍ୟ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚନ୍ନି ଉକ୍ତ ପ୍ରସଙ୍ଗରେ ପାଟି ଖୋଲୁନଥିବାରୁ ମାୟାବତୀ ବିରୋଧ କରିଛନ୍ତି। ରାଜସ୍ଥାନରେ କଂଗ୍ରେସର ଦଳିତ ବିରୋଧୀ ନୀତି ଏହି ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି।