ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହିଂସା ପାଇଁ ଉସୁକାଇବା ଏବଂ ଶାନ୍ତି ନଷ୍ଟ ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଗିରଫ ହୋଇଛନ୍ତି। ଧାରା ୧୪୪ ଜାରି ସତ୍ତ୍ବେ ପ୍ରିୟଙ୍କା ଲଖିମପୁର ଖେରି ଯାଉଥିବାରୁ ତାଙ୍କୁ ରାସ୍ତାରେ ଅଟକାଯାଇ ସୀତାପୁର ଗେଷ୍ଟ୍ ହାଉସ୍ରେ ରଖାଯାଇଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି ଏବଂ ସୀତାପୁରର ପିଏସି ଗେଷ୍ଟ୍ ହାଉସ ଅସ୍ଥାୟୀ ଜେଲ୍ରେ ପରିଣତ ହୋଇଛି। ପ୍ରିୟଙ୍କାଙ୍କ ସମେତ ମୋଟ ୧୧ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଶାନ୍ତି ନଷ୍ଟ କରିବା ମାମଲାରେ ପ୍ରିୟଙ୍କା, ଦୀପେନ୍ଦ୍ର ହୁଦା, ଅଜୟ କୁମାର ଲାଲୁ ଏବଂ ଅନ୍ୟମାନଙ୍କ ବିରୋଧରେ ଧାରା ୧୫୧,୧୦୭ ଏବଂ ୧୧୬ ଅଧୀନରେ ଏତଲା ରୁଜୁ ହୋଇଛି। ଆଜି ସକାଳେ ପ୍ରିୟଙ୍କା ଏକ ଭିଡିଓ ଟ୍ବିଟ୍ କରିଥିଲେ। କୃଷକମାନଙ୍କ ଉପରେ ଜିପ୍ ମାଡ଼ିଯାଉଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ପ୍ରିୟଙ୍କା କହିଛନ୍ତି, କୃଷକଙ୍କ ହତ୍ୟା ପାଇଁ ଯିଏ ଦାୟୀ ତାକୁ କାହିଁକି ଏଯାବତ ଜେଲ୍ରେ ରଖାଯାଇନି।
ବିନା ନିର୍ଦ୍ଦେଶ ଏବଂ ବିନା ଏତଲାରେ କାହିଁକି ମତେ ୨୮ ଘଣ୍ଟା ବନ୍ଦୀ କରି ରଖାଯାଇଛି ବୋଲି ପ୍ରିୟଙ୍କା ଆଜି ସକାଳେ ପ୍ରଶ୍ନ କରିଥିଲେ। ପ୍ରିୟଙ୍କା କହିଛନ୍ତି, ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ନେଇ ତାଙ୍କୁ କୌଣସି କାଗଜପତ୍ର ଦେଖାଯାଇନି। ପ୍ରିୟଙ୍କାଙ୍କୁ ତାଙ୍କ ଆଇନଜୀବୀଙ୍କୁ ଭେଟିବାପାଇଁ ମଧ୍ୟ ଅନୁମତି ମିଳିନାହିଁ। ଅନ୍ୟପକ୍ଷରେ ପୁଲିସର ଏତଲାରେ ଥିବା ଲୋକଙ୍କ ମଧ୍ୟରୁ ୮ ଜଣ ଘଟଣା ଘଟିବା ସମୟରେ ଉପସ୍ଥିତ ନଥିଲେ ବୋଲି କଂଗ୍ରେସ କହିଛି। ଆସନ୍ତାକାଲି ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ଲଖିମପୁର ଗସ୍ତ କରିବାକୁ ଯୋଜନା ହୋଇଛି।
ପ୍ରିୟଙ୍କା ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି, ଦେଶରେ ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି, ରାଜନୈତିକ ଫାଇଦାବାଦୀ କିଏ। ମୋଦୀଙ୍କ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ପାଇଁ ଲକ୍ଷ୍ନୌ ଗସ୍ତକୁ ସେ ବିରୋଧ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ମୋଦୀଜୀ ସ୍ବାଧୀନତାର ଉତ୍ସବ ମନାଉଛନ୍ତି। କିନ୍ତୁ ଆମକୁ ସ୍ବାଧୀନତା ଦେଇଥିବା କୃଷକମାନଙ୍କୁ ମୋଦୀ ସରକାର ଦମନ କରିଚାଲିଛି। ଯଦି ଅଜୟ ମିଶ୍ର ମନ୍ତ୍ରୀ ପଦରେ ରୁହନ୍ତି ତେବେ ବର୍ତ୍ତମାନର ସରକାର ଜାରି ରହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ କଟାକ୍ଷ କରି ପ୍ରିୟଙ୍କା କହିଛନ୍ତି, ମୋଦୀ ସବୁଠୁ ବଡ଼ ପର୍ଯ୍ୟଟକ। ସେ ସାରା ବିଶ୍ବ ବୁଲୁଛନ୍ତି। ମୋଦୀଙ୍କ ଭଳି ମୁଁ ଚୀନ୍ ରାଷ୍ଟ୍ରପତିଙ୍କ ସହ ଝୁଲାରେ ବସୁନି କି ଜାପାନ୍ ଗସ୍ତରେ ଯାଉନି ବୋଲି ସେ କହିଛନ୍ତି। ଆଜି ରାହୁଲ କହିଛନ୍ତି, ଜଣେ ବାସ୍ତବ କଂଗ୍ରେସୀ ପରାଜୟକୁ ସ୍ବୀକାର କରିବ ନାହିଁ କି ସତ୍ୟାଗ୍ରହ କେବେ ବି ବନ୍ଦ ହେବନାହିଁ । ଚାଷୀଙ୍କୁ ସମର୍ଥନ କରି ଲଢ଼େଇ ଚାଲିବ ବୋଲି ସେ କହିଛନ୍ତି।