ଲଖିମପୁର ଖେରି ହିଂସା: ୧୨ ଘଣ୍ଟା ଜେରା ପରେ ଆଶିଷ ଗିରଫ

ମୋବାଇଲ ଜବତ, ୩ ତାରିଖରେ କୋଉଠି ଥିଲେ କହିପାରିଲେନି, ଆଜି କୋର୍ଟରେ ହାଜର ହେବେ

ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆଜି ଲଖିମପୁର ଖେରି ହିଂସା ମାମଲାରେ ଜେରା ପାଇଁ ପୁଲିସ ନିକଟରେ ହାଜର ହେବାପରେ ଏସ୍‌ଆଇଟି ତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିଥିଲା ଏବଂ ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଶିଷଙ୍କୁ ଆସନ୍ତାକାଲି ଅଦାଲତରେ ହାଜର କରାଯିବ। ଆଶିଷ ଆଜି ପୂର୍ବାହ୍ନ ୧୦ଟାରେ ସଦର ବିଧାୟକ ଯୋଗେଶ ବର୍ମାଙ୍କ ସ୍କୁଟର‌ ଯୋଗେ ଲଖିମପୁର ଖେରି ଥାନାର କ୍ରାଇମବ୍ରାଞ୍ଚ ଅଫିସରେ ଜେରା ପାଇଁ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଜେରା ଆରମ୍ଭ ହୋଇଥିଲା। ଜେରା ସମୟରେ ତାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଥିଲା। ଅନ୍ୟପକ୍ଷେ ଆଶିଷ ଅକ୍ଟୋବର ୩ ତାରିଖ ଅପରାହ୍ନ ୨.୩୬ରୁ ୩.୩୦ ମଧ୍ୟରେ କେଉଁଠି ଥିଲେ ତାହା ସେ ଠିକ୍‌ରେ କିଛି କହିପାରିନଥିଲେ ଏବଂ ଏନେଇ ପ୍ରମାଣ ମଧ୍ୟ ଦେଇପାରିନଥିଲେ। ମିଳିଥିବା ସୂଚନାନୁଯାୟୀ ଆଶିଷଙ୍କୁ ବିଭିନ୍ନ ଦିଗରୁ ଜେରା କରାଯାଇଥିଲା। ଘଟଣା ଘଟିବା ଦିନ ସେ ଗାଡ଼ିରେ ନଥିଲେ ବୋଲି ଯେଉଁ ଦାବି କରିଛନ୍ତି ତାକୁ ସତ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନଥିଲେ। ଦ୍ବିତୀୟରେ ଅପରାଧ ସ୍ଥଳରେ ତାଙ୍କ ଗାଡ଼ି କାହିଁକି ଥିଲା ସେ ନେଇ ମଧ୍ୟ ଆଶିଷ ସଠିକ୍ ଉତ୍ତର ଦେଇପାରି ନଥିଲେ। ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚାଳନା ସଂକ୍ରାନ୍ତରେ ବି ତାଙ୍କୁ ଜେରା କରାଯାଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଜେରା ପାଇଁ ଆଶିଷ ମିଶ୍ରଙ୍କୁ ପ୍ରଥମେ ଗୁରୁବାର ଦିନ ସମନ କରାଯାଇଥିଲା। ଉତ୍ତରପ୍ରଦେଶ ପୁଲିସ ଡିଆଇଜି ଆଶିଷଙ୍କୁ ୩ ଘଣ୍ଟା ଅପେକ୍ଷା କରିଥିଲେ। କିନ୍ତୁ ସେ ଜେରା ପାଇଁ ହାଜର ହୋଇନଥିଲେ। ଗତକାଲି ଦ୍ବିତୀୟ ସମନ୍‌ ଜାରି ହେବାପରେ ଆଜି ସେ ଜେରା ପାଇଁ ହାଜର ହୋଇଥିଲେ ଏବଂ ରାତି ୧୦ଟା ପର୍ଯ୍ୟନ୍ତ ଜେରା ଚାଲିଥିଲା। ଅଜୟ ମିଶ୍ର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ତାଙ୍କ ଯୁକ୍ତିକୁ ନେଇ କୌଣସି ପ୍ରମାଣ ଦେଇପାରି ନଥିଲେ। ଆଶିଷ ଦେଇଥିବା ଦଲିଲକୁ ଯାଞ୍ଚ ଟିମ୍‌ ଗ୍ରହଣ କରିନଥିଲେ ଓ ତାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର