ଲଖିମ୍ପୁର ଖେରି: ଆଜି ପଚରାଉଚରା ଏବଂ ବୟାନ ରେକର୍ଡ କରାଇବାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଲଖିମ୍ପୁର ପୁଲିସ ନିକଟରେ ହାଜର ହୋଇ ନାହାନ୍ତି।
ଶୁକ୍ରବାର ଦିନ ୧୦ଟା ବେଳେ ରିଜର୍ଭ ପୁଲିସ ଲାଇନ୍ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ କାର୍ଯ୍ୟାଳୟରେ ଉପସ୍ଥିତ ହେବା ପାଇଁ ଆଶିଷଙ୍କୁ ସମନ୍ ଜାରି କରାଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟରେ ସେ ହାଜର ହୋଇ ନାହାନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ସେମାନେ ଆଶିଷଙ୍କ ମୋବାଇଲ୍ ଫୋନ୍ ଟ୍ରାକିଙ୍ଗ୍ କରୁଛନ୍ତି। ଗୁରୁବାର ଦିନ ସେ ଉତ୍ତର ପ୍ରଦେଶ-ନେପାଳ ସୀମାବର୍ତ୍ତୀ ଗୌରୀଫନ୍ତାରେ ଥିବା କଥା ଜଣାପଡ଼ିଥିଲା।
କିନ୍ତୁ, ସ୍ଥାନ ପରିବର୍ତ୍ତନ କରି ସମ୍ପ୍ରତି ଉତ୍ତରାଖଣ୍ଡର ବାଜପୁରରେ ଥିବା କଥା କୁହାଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆମେ ଉତ୍ତରାଖଣ୍ଡ ଏବଂ ନେପାଳ ପୁଲିସକୁ ସତର୍କ କରାଇ ଦେଇଛୁ। ଏହାଛଡ଼ା, ଆଶିଷଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍ ପଠାଯାଇଛି।
ଲଖିମ୍ପୁରର ଶାହପୁର ଅଞ୍ଚଳରେ ଥିବା ତାଙ୍କ ଦୁଲାରି ହାଉସ୍ ବାସଭବନରେ ଥିବା କର୍ମୀମାନେ କହିଛନ୍ତି ଯେ, ଆଶିଷ ଦୁଇ ଦିନ ତଳୁ ଘରୁ ଚାଲିଯାଇଛନ୍ତି। ପୁଲିସ ଗିରଫ କରିବ ବୋଲି ତାଙ୍କର ଆଶଙ୍କା ହେଉଛି।
ଆଜି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ଅଜୟ ମିଶ୍ରାଙ୍କର ନେପାଳ ସହ ପୁରାତନ ସମ୍ପର୍କ ରହିଛି। ଏ ମାମଲାରେ ହସ୍ତକ୍ଷେପ ନ କରିବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ।