ଲଖିମପୁର ଖେରି ହିଂସା ମାମଲା: ଅସନ୍ତୋଷ ଝାଡ଼ିଲେ ସୁପ୍ରିମ କୋର୍ଟ

ଏସଆଇଟି ତଦନ୍ତ ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି
ସିବିଆଇ ସବୁ ସମସ୍ୟାର ସମାଧାନ ନୁହେଁ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପୁଲିସ ଦ୍ବାରା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ଅଗ୍ରଗତିକୁ ନେଇ ସୁପ୍ରିମକୋର୍ଟ ସୋମବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଏସ୍‌ଆଇଟି ତଦନ୍ତର ଅନୁଧ୍ୟାନ ରାଜ୍ୟ ବାହାର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ପ୍ରଧାନ ବିଚାରପତି ଏନ୍. ଭି. ରମଣା, ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ସିବିଆଇ ଦ୍ବାରା ତଦନ୍ତକୁ ମନା କରିଦେଇଛନ୍ତି। କହିଛନ୍ତି ଯେ ସବୁ ସମସ୍ୟାର ସମାଧାନ ସିବିଆଇ ନୁହେଁ। ତେବେ ଏହି ତଦନ୍ତର ଅନୁଧ୍ୟାନ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବେ। ଉଭୟ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଏବଂ ଅଭିଯୁକ୍ତଙ୍କୁ ପିଟିପିଟି ମାରିବା ଘଟଣାର ତଦନ୍ତ କରାଯାଇ ଏହାର ଏକ ନିର୍ଣ୍ଣାୟକ ନିଷ୍କର୍ଷରେ ପହଞ୍ଚିବାକୁ ହେବ।

ଶୁଣାଣି ବେଳେ ଖଣ୍ଡପୀଠ ଉତ୍ତର ପ୍ରଦେଶ ପୁଲିସକୁ କହିଥିଲେ ଯେ ତଦନ୍ତର ଅଗ୍ରଗତି ଆଶାନୁରୂପ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଛଡ଼ା ଅନ୍ୟ ସବୁ ଅଭିଯୁକ୍ତଙ୍କ ମୋବାଇଲ ଫୋନ କାହିଁକି ଜବତ ହୋଇନାହିଁ? ଅନ୍ୟ ଅଭିଯୁକ୍ତମାନେ କ’ଣ ମୋବାଇଲ ଫୋନ ବ୍ୟବହାର କରୁନଥିଲେ କି? ଏହି ମାମଲାରେ ୧୬ ଜଣ ଅଭିଯୁକ୍ତ ଅଛନ୍ତି। ତଦନ୍ତର ଷ୍ଟାଟସ ରିପୋର୍ଟରେ ତୁମେ କାହିଁକି କହିଥିଲ ଯେ ଅନ୍ୟ ଅଭିଯୁକ୍ତମାନେ ସେମାନଙ୍କ ମୋବାଇଲ ଫିଙ୍ଗି ଦେଇଛନ୍ତି, କିନ୍ତୁ ସେମାନଙ୍କର ସିଡିଆାର ସଂଗ୍ରହ କରାଯାଇଛି? ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଉଥିବା ବ୍ୟତୀତ ଷ୍ଟାଟସ ରିପୋର୍ଟରେ ଅଧିକ କିଛି ନାହିଁ ବୋଲି କୁହାଯାଇଛି। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହରୀଶ ସାଲଭେଙ୍କୁ ପ୍ରଥମେ ପ୍ରଧାନ ବିଚାରପତି କହିଥିଲେ ଷ୍ଟାଟସ ରିପୋର୍ଟରେ କିଛିନାହିଁ। ଆମେ ୧୦ ଦିନ ସମୟ ଦେଇଥିଲୁ। ବର୍ତ୍ତମାନ ସୁଦ୍ଧା ଲାବ୍ ରିପୋର୍ଟ ଆସିନାହିଁ। ଆମେ ଯେଉଁଭଳି ଆଶା କରିଥିଲୁ ତଦନ୍ତ ସେହିଭଳି ହେଉନାହିଁ। ଉତ୍ତର ପ୍ରଦେଶ ଏସଆଇଟି ଦ୍ବାରା ପ୍ରମାଣ ରେକର୍ଡ ପାଇଁ ଯେଉଁ ପ୍ରକ୍ରିୟା ଗ୍ରହଣ କରାଯାଇଛି ସେଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଅଭିଯୋଗଫର୍ଦ୍ଦ ଦାଖଲ ହେବା ପର୍ଯ୍ୟନ୍ତ ଦୈନନ୍ଦିନ ତଦନ୍ତକୁ ଅନୁଧ୍ୟାନ କରିବା ପାଇଁ ଆମେ ଅନ୍ୟ ଏକ ହା‌ଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହୀ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର