ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ମାମଲାରେ ଆଜି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ମଂଜୁର ହୋଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଆଶିଷଙ୍କ ଜାମିନ ମଂଜୁର କରିଛନ୍ତି। କୋର୍ଟ ଗତ ଜାନୁଆରି ୧୮ରେ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୩ ତାରିଖରେ ହୋଇଥିବା ଲଖିମପୁର ଖେରି ହିଂସା ଘଟଣାରେ ଆଶିଷ ମିଶ୍ର ଜଣେ ମୁଖ୍ୟ ଅଭିଯୁକ୍ତ। ଅକ୍ଟୋବର ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ନିମ୍ନ ଅଦାଲତ ଦ୍ବାରା ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠରେ ସେ ଜାମିନ ଆବେଦନ କରିଥିଲେ। ପୂର୍ବରୁ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରୋକ୍ ଲଗାଇଥିବାବେଳେ ଆଜି ମଂଜୁର କରିଛନ୍ତି। ଲଖିମପୁର ଖେରିରେ କୃଷକ ଆନ୍ଦୋଳନ ଯୋଗୁଁ ଉପୁଜିଥିବା ହିଂସା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ କୃଷକଙ୍କ ଉପରୋ ଯେଉଁ ଗାଡ଼ି ମାଡ଼ିଯାଇଥିଲା ସେହି ଗାଡ଼ିରେ ଆଶିଷ ମିଶ୍ର ଥିଲେ ବୋଲି କୃଷକ ସଂଗଠନ ଅଭିଯୋଗ କରିଥିଲେ। କିନ୍ତୁ ଆଶିଷ ମିଶ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
କେଉଁ ଆଧାରରେ ମିଳିଲା?
କୋର୍ଟରେ ଆଶିଷ ମିଶ୍ରଙ୍କ ଓକିଲ ଅତି ବଳିଷ୍ଠ ଯୁକ୍ତି ରଖିଥିଲେ ଏବଂ ଚାଷୀଙ୍କ ଉପରେ ମାଡ଼ିଯାଇଥିବା ଏସ୍ୟୁଭିକୁ ଆଶିଷ ମିଶ୍ର ଚଳାଉନଥିବା ସଂକ୍ରାନ୍ତ ପ୍ରମାଣ ଦାଖଲ କରିଥିଲେ। ଉକ୍ତ ଗାଡ଼ିକୁ ହରିଓମ୍ ମିଶ୍ର ଚଳାଉଥିଲେ। ଗାଡ଼ିକୁ ଶହ ଶହ ଚାଷୀ ଘେରିଯାଇ ଆକ୍ରମଣ ଆରମ୍ଭ କରିଦେବାରୁ ଡ୍ରାଇଭର ପ୍ରାଣ ବିକଳ୍ପରେ ସୁରକ୍ଷା ପାଇଁ ଗାଡ଼ି ଆଗକୁ ବଢ଼ାଇଥିଲେ ଏବଂ ତାହା ଆନ୍ଦୋଳନକାରୀଙ୍କ ଉପରେ ମାଡ଼ିଯାଇଥିଲା। ଏହା ସହିତ ଆଶିଷ ମିଶ୍ରଙ୍କ ବିରୋଧରେ ଗୁଳିଚାଳନା କରିଥିବା ଅଭିଯୋଗ ମଧ୍ୟ ମିଥ୍ୟା ବୋଲି କୋର୍ଟରେ ପ୍ରମାଣ ଦିଆଯାଇଥିଲା। ଆନ୍ଦୋଳନସ୍ଥଳରେ କୌଣସି ଚାଷୀଙ୍କ ମୃତ୍ୟୁ ଗୁଳିମାଡ଼ରେ ହୋଇନଥିବାରୁ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଯୁକ୍ତି ଦର୍ଶାଯାଇଥିଲା। ଏହା ସହିତ ପୁଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ସୁପ୍ରିମ୍ କୋର୍ଟ ଦ୍ବାରା ନିଯୁକ୍ତ ଏସ୍ଆଇଟି ଅଧିକାରୀଙ୍କ ଦସ୍ତଖତ ନଥିଲା। ହାଇକୋର୍ଟ ଏସବୁ ଯୁକ୍ତି ଆଧାରରେ ଆଶିଷଙ୍କ ଜାମିନ ମଂଜୁର କରିଛନ୍ତି।