ଲଖିମପୁର ଖେରି ହିଂସା ଘଟଣା: ବିଚାରବିଭାଗୀୟ ତଦନ୍ତ ହେବ, ମନ୍ତ୍ରୀଙ୍କ ପୁଅ ବିରୋଧରେ ହତ୍ୟା ମାମଲା

କ୍ଷତିପୂରଣ ପ୍ରତିଶ୍ରୁତି ପରେ ଶବ ଉଠିଲା, ମିଳିବ ୪୫ ଲକ୍ଷ, ସରକାରୀ ଚାକିରି

ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ଘଟଣାରେ ଆଜି ଉତ୍ତରପ୍ର‌ଦେଶ ସରକାର ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ୪୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସରକାରୀ ଚାକିରି ଘୋଷଣା କରିଛନ୍ତି। ଆହତମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି। ସରକାରଙ୍କ କ୍ଷତିପୂରଣ ଘୋଷଣା ପରେ ଗତକାଲିଠାରୁ ହିଂସା ଘଟଣାକୁ ବିରୋଧ କରି ଲଖିମପୁର ଖେରିର କୃଷକମାନେ ଜାରି ରଖିଥିବା ଆନ୍ଦୋଳନ ବନ୍ଦ କରିଛନ୍ତି ଏବଂ ମୃତ କୃଷକମାନଙ୍କ ଶବ ସଂସ୍କାର କରିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଆନ୍ଦୋଳନରତ କୃଷକଙ୍କ ଉପରେ ସେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ କୃଷକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ହିଁ ଉକ୍ତ ମାମଲାର ତଦନ୍ତ ହେବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି। ଆଜି ସକାଳେ କୃଷକ ଏବଂ ପ୍ରଶାସନ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହି କଥାବାର୍ତ୍ତା ପରେ ଏଡିଜି ପ୍ରଶାନ୍ତ କୁମାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ମାମଲାର ନ୍ୟାୟିକ ତଦନ୍ତ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଉକ୍ତ ହିଂସା ଘଟଣାର ତଦନ୍ତ କରିବେ। ସେହିପରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି।

ହିଂସା ଘଟଣାକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ ଦଳ। ଅନେକ ନେତା ସମ୍ପୃକ୍ତ ସ୍ଥାନକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନଙ୍କୁ ବାଟରେ ପୁଲିସ ଅଟକାଇଛି। ସମ୍ପୃକ୍ତ ଅଞ୍ଚଳରେ ୧୪୪ ଜାରି ହୋଇଛି ଏବଂ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ବାସଭବନ ବାହାରେ ଆଜି ବହୁସଂଖ୍ୟାରେ ଲୋକ ଆନ୍ଦୋଳନ କରିଥିଲେ। ବଡ଼ ବ୍ୟାରିକେଡ୍‌ ଏବଂ ଟ୍ରକ୍‌ ରଖି ସେମାନେ ରାସ୍ତା ଅବରୋଧ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି, ଆପ୍‌ ସାଂସଦ ସଂଜୟ ସିଂହ ଏବଂ ଅନ୍ୟ ପ୍ରମୁଖ ‌ନେତାମାନେ ଲଖିମପୁର ଯିବା ବାଟରେ ସେମାନଙ୍କୁ ଅଟକାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼ାଇ କୃଷକମାନଙ୍କୁ ମାରିଦେଇଛନ୍ତି ବୋଲି ଅଭି‌ଯୋଗ ହୋଇଥିବା‌ବେ‌ଳେ ମନ୍ତ୍ରୀ କହିଛନ୍ତି, ତାଙ୍କ ପୁଅ ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ନଥିଲେ।

ସମ୍ବନ୍ଧିତ ଖବର