ଲଖିମପୁର ଖେରି ହିଂସା: ସାକ୍ଷୀଙ୍କ ସୁରକ୍ଷା ସୁନିଶ୍ଚିତ ସହ ମିଳିଥିବା ଭିଡିଓ ପ୍ରମାଣଗୁଡିକର ପରୀକ୍ଷା ଶୀଘ୍ର ଶେଷ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ମାମଲାରେ ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଜି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ, ସାକ୍ଷୀଙ୍କ ବୟାନ ଶୀଘ୍ର ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯିବା ଉଚିତ। ମାମଲାର ତଦନ୍ତ ସମୟରେ ମିଳିଥିବା ଭିଡିଓ ପ୍ରମାଣର ଲ୍ୟାବ ପରୀକ୍ଷାକୁ ଶୀଘ୍ର ସମାପ୍ତ କରିବାକୁ ମଧ୍ୟ କୋର୍ଟ ଏସଆଇଟିକୁ କହିଛନ୍ତି। ଭିଡ଼ ହିଂସା ପାଇଁ ମୃତ୍ୟୁବରଣ କରିଥିବା ଶ୍ୟାମ ସୁନ୍ଦର ଏବଂ ସାମ୍ବାଦିକ ରମଣ କଶ୍ୟପଙ୍କ ତଦନ୍ତର ସ୍ଥିତି ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାରଙ୍କୁ ମାଗିଛନ୍ତି କୋର୍ଟ।

ପୂବର୍ରୁ ହୋଇଥିବା ଦୁଇଟି ଶୁଣାଣିରେ ୟୁପି ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଏସଆଇଟିର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବିଚାରପତିମାନେ ଆଜି କହିଛନ୍ତି ଯେ, ତଦନ୍ତରେ ଅନେକ ଅଗ୍ରଗତି ହୋଇଛି। ଏହି ଘଟଣା ଘଟିବା ସମୟରେ ଉପସ୍ଥିତ ଥିବା ୪-୫ ହଜାର ଲୋକଙ୍କ ମଧ୍ୟରୁ ସାକ୍ଷୀଙ୍କୁ ଚିହ୍ନଟ କରିବା ଆବଶ୍ୟକ। ୟୁପି ସରକାରଙ୍କ ତରଫରୁ କୋର୍ଟକୁ କୁହାଯାଇଛି ଯେ ୬୮ଜଣ ସାକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୩ଜଣଙ୍କର ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ମଧ୍ୟରୁ ସମୁଦାୟ ୩୦ଜଣ ସାକ୍ଷୀ ଅଛନ୍ତି, ଯେଉଁମାନଙ୍କର ବୟାନ ସିଆପିସିର ଧାରା ୧୬୪ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି। ଏହି ୩୦ଜଣକ ମଧ୍ୟରୁ, ୨୩ଜଣ ନିଜକୁ ସାକ୍ଷୀ ବୋଲି ଘୋଷଣା କରିଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ, ଏତେ ସଂଖ୍ୟକ ଲୋକଙ୍କ ମଧ୍ୟରୁ କେବଳ ୨୩ଜଣ ଲୋକ ଆଗକୁ ଆସିଛନ୍ତି। ୟୁପି ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ ବିଚାରପତିମାନଙ୍କୁ କହିଛନ୍ତି ଯେ, ସାକ୍ଷୀଙ୍କୁ ଡାକିବା ପାଇଁ ବିଜ୍ଞାପନ ଜାରି କରାଯାଇଛି। ଅନୁସନ୍ଧାନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭିଡିଓ ପ୍ରମାଣ ମିଳିଛି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଏହି ଭିଡିଓ ପ୍ରମାଣଗୁଡିକର ପରୀକ୍ଷା ଶୀଘ୍ର ଶେଷ ହେବା ଉଚିତ୍।

ସମ୍ବନ୍ଧିତ ଖବର