ଲଖିମପୁର ଖେରି ହିଂସା: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମ୍‌ କୋର୍ଟ

ଗିରଫ ଓ ଜେରା ବାବଦରେ ବିସ୍ତୃତ ତଥ୍ୟ ଦାଖଲ ନିର୍ଦ୍ଦେଶ, ଆଜି ବି ଶୁଣାଣି ହେବ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାର ଲଖିମପୁର ଖେରି ହିଂସା ଘଟଣାରେ ଆସନ୍ତାକାଲି ସୁଦ୍ଧା ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ। ହିଂସା ଘଟଣାରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଘଟଣା ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏ ନେଇ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ସମସ୍ତ ମୃତକଙ୍କ ବାବଦରେ ତଥ୍ୟ ସମେତ ଗିରଫ ଓ ଜେରା ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ନିଜ ଆଡ଼ୁ ଏହି ମାମଲାକୁ ଗ୍ରହଣ କରି ଆଜି ଶୁଣାଣି ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ମଧ୍ୟ ଏହା ଜାରି ରହିବ। ସର୍ବୋଚ୍ଚ ନ୍ୟାୟାଳୟ ଲଖିମପୁର ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହି ମାମଲାରେ କେତେ ଜଣ ଗିରଫ ହୋଇଛନ୍ତି ଏବଂ କେତେଜଣଙ୍କୁ ଜେରା କରାଯାଉଛି ବୋଲି କୋର୍ଟ ଆଜି ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ବିଚାରବିଭାଗୀୟ ତଦନ୍ତ କମିସନ ଏବଂ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ସଂକ୍ରାନ୍ତରେ ଜାଣିବାକୁ ଚାହିଛନ୍ତି। ମାମଲାରେ ଶୁଣାଣି ସମୟରେ ଜଣେ ମୃତ ବ୍ୟକ୍ତିଙ୍କ ମା’ ଅସୁସ୍ଥ ଥିବା ଖବର କୋର୍ଟ ଶୁଣିବାପରେ ତୁରନ୍ତ ତାଙ୍କପାଇଁ ଚିକିତ୍ସା ବ୍ୟବସ୍ଥା‌ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୋର୍ଟରେ ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏଡିଜି ଗରିମା ପ୍ରସାଦ କୋର୍ଟରେ ଉପସ୍ଥିତ ଥିଲେ। ପ୍ରସାଦ କୋର୍ଟଙ୍କୁ କହିଥିଲେ ଯେ, ମାମଲାରେ ଏତଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ‌ହୋଇଛି। ଏହି ଉତ୍ତରରେ ପ୍ରଧାନ ବିଚାରପତି ସନ୍ତୁଷ୍ଟ ହୋଇନଥିଲେ। ପ୍ରଧାନ ବିଚାରପତି କହିଥିଲେ, ସବୁଠୁ ଦୁଃଖଦାୟକ ଯେ, ମାମଲାର ସଠିକ ତଦନ୍ତ ହେଉନାହିଁ। ୨ ଆଇନଜୀବୀ ଶିବକୁମାର ତ୍ରିପାଠୀ ଏବଂ ସିଏସ୍‌ ପଣ୍ଡାଙ୍କ ଆବେଦନକୁ ଆଧାର କରି କୋର୍ଟ ଏହା କହିଛନ୍ତି। ତେବେ କୋର୍ଟ ଏହି ୨ ଆଇନଜୀବୀଙ୍କୁ କୋର୍ଟରେ ଉପସ୍ଥିତ ରହିବାପାଇଁ କହିଛନ୍ତି। ଉକ୍ତ ୨ ଆଇନଜୀବୀ ଲଖିମୁପର ଖେରି ହିଂସା ଘଟଣାରେ ସିବିଆଇ ଏବଂ ଉଚ୍ଚସ୍ତରୀୟ ବିଚାରବିଭାଗୀୟ ତଦନ୍ତ ଚାହିଥିଲେ। ପ୍ରଧାନ ବିଚାରପତି କହିଛନ୍ତି, ଆଇନଜୀବୀ ୨ ଜଣ ଯେଉଁ ଚିଠି ଲେଖିଛନ୍ତି ତାହା ପିଆଇଏଲ୍‌ ଆକାରରେ ଦେବା ଉଚିତ୍‌। ତେବେ କିଛି କାରଣ ପାଇଁ କୋର୍ଟ ଆଜି ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର