ଟିଏମସିକୁ ପୁଣି ଲାଗିଲା ଝଟକା: ମମତାଙ୍କ ହାତ ଛାଡିଲେ ଏହି ମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ଏହି ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ତୃଣମୂଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି | ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ମମତା ବାନାର୍ଜୀଙ୍କ ସରକାରର ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି | ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଥିବା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଲକ୍ଷ୍ମୀ ରତନ ଶୁକ୍ଲା ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛନ୍ତି। ମଙ୍ଗଳବାର ଦିନ ମନ୍ତ୍ରୀ ପଦ ବ୍ୟତୀତ ସେ ହାଓଡ଼ାର ତୃଣମୂଳ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସୂଚନା ଥାଉ କି ଲକ୍ଷ୍ମୀ ରତନ ଶୁକ୍ଲା ଭାରତ ପାଇଁ ତିନୋଟି ଦିନିକିଆ ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ସହିତ ଖେଳିଛନ୍ତି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଯୋଗ ଦେଇଥିଲେ ଓ ପଶ୍ଚିମବଙ୍ଗର ଉତ୍ତର ହାଓଡ଼ାରୁ ବିଧାୟକ ହୋଇଥିଲେ।

ଏହା ପରେ ସେ ମମତାଙ୍କ ସରକାରରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ପଦ ପାଇଥିଲେ | ରତନଙ୍କ ପୂର୍ବରୁ ମମତା ବାନାର୍ଜୀଙ୍କ ଖାସ ଭାବେ ଜଣାଯାଉଥିବା ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ତାଙ୍କର ଅନେକ ସମର୍ଥକ, ତୃଣମୂଳ କଂଗ୍ରେସ ବିଧାୟକମାନେ ମଧ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର