ନୂଆଦିଲ୍ଲୀ: ସମୟସମୟରେ ମାଟି ଖୋଳା ଚାଲିଥିବ‌ା ବେଳେ ଅନେକ ଗୁପ୍ତଧନ ମିଳିଥିଲା। ବୁଧବ‌ାର ଆଗ୍ରାର ମାଲୱାର ପ୍ରସିଦ୍ଧ ‌ମୋତି ସାଗର ପୋଖରୀରୁ ଲକ୍ଷାଧିକ ଟଙ୍କାର ଏକ ପୁଟୁଳି ମିଳିଛି। ନଗରପାଳିକା ଉକ୍ତ ପୁଟୁଲିକୁ ଜବତ କରି ପୁଲିସ ବିଭାଗକୁ ହସ୍ତାନ୍ତର କରି ଦେଇଛି। ଏହି ଘଟଣାର ପୁଲିସ ଓ ପ୍ରଶାସନ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଆଗ୍ରାର ମାଲୱାସ୍ଥିତ ମଧ୍ୟପ୍ର‌ଦେଶର ସବୁଠାରୁ ବଡ଼ ମୋତି ସାଗର ପୋଖରୀରେ ପ୍ରବଳ ଖରା ହେତୁ ପାଣି ଶୁଖି ଯାଉଥିବାରୁ ଗଭୀରକୁ ଖେଳା କାମ ଚାଲିଥିଲା। ଜେସିବି ଚାଳକ ମାଟି ଖୋଳିଖୋଳି ଚାଲୁଥିବା ବେଳେ ତାଙ୍କ ନଜର ମାଟି ତଳୁ ବାହାରୁଥିବା କିଛି କାଗଜ ଉପରେ ପଡ଼ିଥିଲା। ଉକ୍ତ କାଗଜଗୁଡ଼ିକ ନୋଟ ଭଳି ଦେଖାଯିବାରୁ ‌ସେ ଘଟଣାସ୍ଥଳରେ ଥିବା କିଛିଲୋକଙ୍କୁ ଉକ୍ତ କାଗଜଗୁଡ଼ିକ ଉଠାଇବାକୁ କହିଥିଲେ। ପାଖରୁ ଉକ୍ତ କାଗଜଗୁଡ଼ିକୁ ଦେଖିବା ପରେ ତାହା ନୋଟ ଥିବା ଜଣାପଡ଼ିଥିଲା। ଏହାପରେ ଚାଳକ ମାଟିକୁ ଆହୁରି ତାଡ଼ିବାରୁ ସେଥି‌ରୁ ଏକ ପୁଟୁଳି ବାହାରିଥିଲା। ଏଥିରେ ଗୁଡାଏ ୫୦୦ଟଙ୍କା ନୋଟ ଭର୍ତ୍ତି ଥିବା ଦେଖିବାକୁ ମିଳିଥିଲା।

ଏହାପରେ ପୁଲିସ ଓ ନଗରପାଳିକାଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟଙ୍କାଙ୍କୁ ଜବତ କରି ନେଇଥିଲେ। ଜବତ ହୋଇଥିବା ଟଙ୍କା ପାଖାପାଖି ୫ରୁ ୭ଲକ୍ଷ ଟଙ୍କା ଭିତରେ ଥିବା ଅନୁମାନ କରାଯାଇଥିଲା। କିନ୍ତୁ ଏଥିମଧ୍ୟରୁ ଅନେକ ଟଙ୍କା ପାଣି ଓ ମାଟି ଲାଗି ନଷ୍ଟ ହୋଇଯାଇଥିଲା। ବାକି ଚଳନୀୟ ଥିବା ଟଙ୍କାର ଆନୁମାନିକ ମୂଲ୍ୟ ଲକ୍ଷଟଙ୍କା ହେବ ବୋଲି କୁହାଯାଉଛି।