ପାକିସ୍ତାନରେ ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜ୍ୟାକି-ଉର-ରେହେମାନ ଲଖଭି

ଲାହୋର : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଅପରେସନ କମାଣ୍ଡର ଜ୍ୟାକି-ଉର୍-ରେହେମାନ ଲଖଭିକୁ ପାକିସ୍ତାନରେ ଗିରଫ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ପାଣ୍ଠି ସଂଗ୍ରହ ଲାଗି ରେହେମାନକୁ ପାକିସ୍ତାନର ଆତଙ୍କ ନିରୋଧି ବିଭାଗ (ସିଟିଡି) ଗିରଫ କରିଛି ।

ତାର ଗିରଫଦାରି ସମ୍ପର୍କରେ ସିଟିଡି ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ମିଳିବା ପରେ ଏଲଇଟି ନେତା ଜ୍ୟାକି-ଉର-ରେହେମାନ ଲଖଭିକୁ ଆତଙ୍କି ପାଣ୍ଠିଯୋଗାଣ ଅଭିଯୋଗରେ ଗିରଫ କରାଯାଇଛି ।

ତେବେ ତାକୁ ଆଜି କେଉଁ ସ୍ଥାନରୁ ଗିରଫ କରାଯାଇଛି ସେ ସମ୍ପର୍କରେ ସିଟିଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଲଖଭିର ହାତ ଥିବା ଭାରତ ପକ୍ଷରୁ କୁହାଯାଉଛି । ଭାରତ ପକ୍ଷରୁ ତଥ୍ୟ ପ୍ରମାଣ ଦିଆଯିବା ପରେ ୨୦୦୮ରେ ଜାତିସଂଘ ପକ୍ଷରୁ ଲଖଭିକୁ  ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା ।  ଏହା ପରେ ତାର ସବୁ ବ୍ୟାଙ୍କ ଖାତା ଓ ସମ୍ପତ୍ତିକୁ ଅଚଳ କରିଦିଆଯାଇଥିଲା । ୨୦୦୮ ଡିସେମ୍ବର ୭ରେ ପାକିସ୍ତାନରେ ତାକୁ ଗିରଫ କରାଯାଇଥିଲା । ତେବେ ୨୦୧୫ରେ ତାକୁ ଜାମିନ ମିଳିଥିଲା ।

ଗତ ସପ୍ତାହରେ ଜାତିସଂଘ ଘୋଷିତ ବିଶ୍ବ ଆତଙ୍କବାଦୀ ହାଫିଜ ସଇଦକୁ ୧୫ ବର୍ଷ ଜେଲଦଣ୍ଡ ହୋଇଥିଲା । ଆତଙ୍କି ପାଣ୍ଠିଯୋଗାଣ ଅଭିଯୋଗରେ ତାକୁ ଏହି ଜେଲଦଣ୍ଡ ଦିଆଯାଇଛି । 

ସମ୍ବନ୍ଧିତ ଖବର